Wednesday , December 1 2021
Breaking News
Home / ବିଶେଷ / ଭୋଟର ପରିଚୟ ପତ୍ର ସଂଶୋଧନ ପାଇଁ ପ୍ରଶାସନିକ ବୈଠକ

ଭୋଟର ପରିଚୟ ପତ୍ର ସଂଶୋଧନ ପାଇଁ ପ୍ରଶାସନିକ ବୈଠକ

କେନ୍ଦ୍ରାପଡ଼ା, ୦୧/୧୧/୨୦୨୧(ଓଡ଼ିଶା ସମାଚାର)-ନିର୍ବାଚନକୁ ସୁସ୍ଥ, ନିରପେକ୍ଷ ଓ ଅବାଧ କରିବା ନିମନ୍ତେ କେନ୍ଦ୍ରାପଡାରେ ଭୋଟ ପରିଚୟ ପତ୍ର ସଂଶୋଧନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ସଭାପତି ଓ ସମ୍ପାଦକମାନଙ୍କ ସହ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ପରିସରରେ ସୋମବାର ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଉପସ୍ଥିତ ଥିବା ରାଜନୈତିକ ଦଳର ସଭାପତି, ସମ୍ପାଦକ ଓ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଧେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଆଜି ଭୋଟର ପରିଚୟ ପତ୍ର ତାଲିକା ପ୍ରକାଶନ କରାଯାଇଥିବା ବେଳେ ଏ ସମ୍ପର୍କରେ ଦାବି ଓ ଅଭିଯୋଗ ତା.୦୧.୧୧.୨୦୨୧ ଠାରୁ ୩୦.୧୧.୨୦୨୧ ମଧ୍ୟରେ କରାଯାଇପାରିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଅଭିଯୋଗ କ୍ରମେ ପରିଚୟ ପତ୍ର ସଂଶୋଧନ ନିମନ୍ତେ ବି.ଏଲ. ଓ.ମାନେ ତା.୦୭.୧୧.୨୦୨୧ ଓ ତା.୨୧.୧୧.୨୦୨୧ରିଖ ଦୁଇଟି ରବିବାରରେ ବୁଥଗୁଡିକରେ ସକାଳ ୧୦ଟା ସମୟରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବାପାଇଁ ନିର୍ଦେଶ ଦିଆଯାଇଛି । ୯୬-ପାଟକୁରା, ୯୭-କେନ୍ଦ୍ରାପଡା (ତଫସିଲଭୁକ୍ତ ଜାତି), ୯୮-ଆଳି, ୯୯-ରାଜନଗର, ୧୦୦-ମହାକାଳପଡା ନିର୍ବାଚନ ମଣ୍ଡଳୀରେ ୧୪୩୮ଜଣ ବି.ଏଲ.ଓ. ଓ ୧୪୪ ପରିଦର୍ଶକଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ ୧୬ଲକ୍ଷ ଜନସଂଖ୍ୟା ମଧ୍ୟରୁ ତା.୧୦.୧୦.୨୦୨୧ ସୁଦ୍ଧା ୧୨,୦୭,୯୯୦ ଜଣ ଯୋଗ୍ୟ ଭୋଟର ଥିବା ବେଳେ ୬,୨୬,୮୯୦ ପୁରୁଷ ଓ ୫,୬୬,୫୦୫ ମହିଳା ଭୋଟର ଥିବାବେଳେ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୬୧ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଭୋଟର ତାଲିକା ସଂଶୋଧନ କରାଯାଇ ତା.୧୬.୦୧.୨୦୨୧ ରୁ ତା.୧୦.୧୦.୨୦୨୧ ରିଖ ମଧ୍ୟରେ ୧୯,୨୪୫ ଜଣ ଭୋଟରଙ୍କୁ ତାଲିକାରେ ଯୋଗ କରାଯାଇଥିବା ବେଳେ ୪,୭୧୧ ଜଣଙ୍କୁ ବାଦ ଦିଆଯାଇଛି । ନିର୍ବାଚନ ଉପବିଭାଗ କେନ୍ଦ୍ରାପଡା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ସମଗ୍ର ଜିଲ୍ଲାରେ ଡେମୋଗ୍ରାଫିକାଲ୍ ସିମିଲାର ଏନ୍ଟ୍ରିରେ ୩୧୭ ଜଣ ନାମ ଥିବା ବେଳେ ବାହାରେ ଚାକିରୀ କରିଥିବା ଭୋଟର ସଂଖ୍ୟା ୨,୨୪୫ ଜଣ ଅଛନ୍ତି । ପ୍ରତ୍ୟେକ ବି.ଏଲ.ଓ.ମାନଙ୍କ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗରୁଡ ଆପ୍କୁ ବାଧ୍ୟତାମୂଳକ କରାଯାଇଛି । ଜିଲ୍ଲାର ଭୋଟରମାନେ ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରି କରାଯାଇଥିବା ଭୋଟର ହେଲ୍ପଲାଇନ ଆପ୍କୁ ଡାଉନଲୋଡ କରି ବୁଥ୍ ସମ୍ପର୍କରେ ସବିଶେଷ ତଥ୍ୟ ପାଇ ପାରିବେ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିବା ସହ ପ୍ରତ୍ୟେକ ଭୋଟର ଏହି ଆପ୍ କୁ ଡାଉନଲୋଡ କରିବାକୁ ନିବେଦନ କରିଥିଲେ । ନିର୍ବାଚନକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବା ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ବୁଥ୍ ସ୍ତରରେ ବୁଥସ୍ତରୀୟ ଏଜେ ନିୟୋଜିତ କରିବା ସହ ବି.ଏଲ.ଓମାନଙ୍କ ସହିତ ସହଯୋଗର ହାତ ବଢାଇବା ପାଇଁ ଉପଜିଲ୍ଲାପାଳ ଅନୁରୋଧ କରିଥିଲେ । ଭୋଟର ତାଲିକା ସଂଶୋଧନ ସମ୍ବନ୍ଧରେ ଥିବା ବିଭିନ୍ନ ବର୍ଗୀକରଣଭୁକ୍ତ ଫର୍ମ ବିଷୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ପୋଷ୍ଟର ପ୍ରଦର୍ଶନୀ କରାଯିବାର ବ୍ୟବସ୍ଥା ହେଉଥିବା କଥା ନିର୍ବାଚନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ବୈଠକରେ ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଓ ବିଜେଡି ଦଳର ପ୍ରତିନିଧି ଆଇନଜୀବୀ ଦେବଦାସ ମହାନ୍ତି, ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ପ୍ରଫୁଲ୍ଲ ଦାସ, ଭାରତୀୟ ଜନତା ପାର୍ଟିର ପ୍ରତିନିଧି ନେହେରୁ ସାହୁ, ସିପିଆଇର ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ସିପିଆଇ(ଏମ)ର ଗୟାଧର ଧଳ ପ୍ରମୁଖ ଯୋଗଦେଇ ଯୋଗ୍ୟ କଲେଜ ଛାତ୍ରଛାତ୍ରୀଙ୍କୁ ଭୋଟର ତାଲିକାରେ ଯୋଗକରିବା ଓ ଭୋଟ ପରିଚୟ ପତ୍ର ତାଲିକାରେ ଥିବା ବୟସ ତଥା ଠିକଣା ଠିକ୍ ଭାବରେ ସଂଶୋଧନ କରିବାକୁ ପ୍ରସ୍ତାବ ରଖି ଜିଲ୍ଲା ପ୍ରଶାସନ ଦୃଷ୍ଟିଆକର୍ଷଣ କରିବା ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବା ନିମନ୍ତେ ଅନୁରୋଧ କରିଥିଲେ । ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଓ ନିର୍ବାଚନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାରଣା ଭୋଟ ପରିଚୟ ସଂଶୋଧନ ନିମନ୍ତେ ଧାର୍ଯ୍ୟ ମୂଲ୍ୟ ଦାଖଲ ସମୟରେ ବି.ଏଲ.ଓମାନେ ଭୋଟରଙ୍କୁ ରସିଦ ନେବା ବାଧ୍ୟ ବୋଲି ସୂଚନା ଦେବା ସହ ଏଥିରେ ତୃଟି ବିଚୁ୍ୟତି ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ବିପକ୍ଷରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଆଶ୍ୱାସନା ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *