ରଘୁନାଥପୁର, ୦୧/୧୧/୨୦୨୧(ଓଡ଼ିଶା ସମାଚାର)- ଦେଶ ସ୍ୱାଧୀନତାର ୭୫ ବର୍ଷ ପର ମଧ୍ୟ ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତରେ ବିଭିନ୍ନ ପଡ଼ା ଗ୍ରାମକୁ ରାସ୍ତା ନଥିବା ପ୍ରତିବାଦ କରି ଆଜି ଗ୍ରାମବାସୀଙ୍କ ତରଫରୁ ବ୍ଲକ୍ ସମ୍ମୁଖରେ ଧାରଣା ଓ ଅନଶନ କରାଯାଇଥିଲା । ସୂଚନା ଯୋଗ୍ୟ କି ଏହି ପଂଚାୟତର କରଡ଼ା ପ୍ରାଥମିକ ବିଦ୍ୟାଳୟ, ଦଣ୍ଡାସାହି, ଦାସ ସାହି, ଜଇନାବାଦ, ମୁଦୁଲି ସାହି ଓ ପାଳ ସାହି କୁ ସଂଯୋଗୀ କରଣ ରାସ୍ତା ତଥା ତାରିଣୀ ଗଡ଼ା ଠାରୁ ଶଳିଜଙ୍ଗା ସାଇ ମନ୍ଦିର ନିକଟକୁ ଅଢ଼େଇ କିଲୋମିଟର ପକା ରାସ୍ତା ଦୀର୍ଘ ଦିନ ଧରି ଦାବି କରୁଥିବାବେଳେ ତାହା ହୋଇ ନପାରିବାରୁ ଗ୍ରାମବାସୀମାନେ ବର୍ଷ ସାରା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗ୍ରାମ ମାନଙ୍କୁ ଆମ୍ବୁଲାନ୍ସ ଆସିପାରୁନଥିବାବେଳେ ଏଠାକାର ସ୍କୁଲ ର ଛାତ୍ର ଛାତ୍ରୀ ଓ ବୃଦ୍ଧ ବୃଦ୍ଧାମାନେ କଚା ରାସ୍ତା ଓ ପାଣି କାଦୁଅରେ ଯାଆସ କରିବାକୁ ବାଧ୍ୟ ହୋଇଥାନ୍ତି । ସେ ବିଷୟରେ ଅନେକ ଥର ଗ୍ରାମବାସୀମାନେ ପଂଚାୟତ ଓ ବ୍ଲକ୍ ଅଫିସ ର ଦ୍ୱାରସ୍ତ ହୋଇଥିଲେ ବି କିଛି ଫଳ ନମିଳିବାରୁ ଆଜି ପୂର୍ବାହ୍ନରୁ ଗ୍ରାମବାସୀଙ୍କ ତରଫରୁ ଶିକ୍ଷାବିତ ପ୍ରାଣକୃଷ୍ଣ ନାୟକ,ଶୁକଦେବ ସ୍ୱାଇଁ, ସ୍ନେହାଂଶୁ ଜେନା, ସୌଭାଗ୍ୟ ରଂଜନ ସ୍ୱାଇଁ, ଗୋବିନ୍ଦ ଓଝା, ବିଜୟଲକ୍ଷ୍ମୀ ମହାପାତ୍ର, ନୀରଂଜନ ବାରିକ,ରବିନ୍ଦ୍ର ନାଥ ପାଳ ପ୍ରମୁଖ ବ୍ଲକ୍ ବାରଣ୍ଡାରେ ଧାରଣା ରେ ବସିଥିଲେ । ଏପରିକି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ସେମାନଙ୍କୁ ବୁଝାଇଥିଲେ ବି ସେମାନେ ତାଙ୍କ ଜିଦ ରେ ଅଟଳ ଥିଲେ । ଶେଷରେ ଅବରାହ୍ନ ୫ ଟା ବେଳେ ବିଡ଼ିଓ ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ପହଂଚି ସମସ୍ୟାର ସମାଧାନ ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶା ସମାଚାର
