କେନ୍ଦ୍ରାପଡ଼ା, ୩୧/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ପ୍ରାୟ ୪ଦିନ ଧରି ଢେଙ୍କାନାଳ ଜଙ୍ଗଲରୁ ଖସି ଆସିଥିବା ଏକ ବଣୁଆ ହାତୀ ପ୍ରଥମେ ଡେରାବିଶ ବ୍ଲକ ଅଂଚଳରେ ପଶି ଲୋକଙ୍କ ଧାନବିଲରେ ବହୁ ପରିମାଣର ଧାନ ଫସଲ ନଷ୍ଟ କରିଥିବା ବେଳେ ଜଣେ ବୃଦ୍ଧଙ୍କୁ ପାଦରେ ଚକଟି ମାରି ଦେଇଥିଲା । ପରେ ହାତୀଟି କଟକ ଜିଲ୍ଲା ଅଂଚଳ ଦେଇ ଜଗତସିଂହପୁର ଜିଲ୍ଲାକୁ ପ୍ରବେଶ କରିଥିଲା । ଏବେ ସେହି ବଣୁଆ ହାତୀଟି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅଧିନ ଶୋବଳା ଗ୍ରାମର ଧାନ ବିଲରେ ବୁଲୁଥିବାର ଲୋକେ ଦେଖିବାକୁ ପାଇଛନ୍ତି । ବନ ବିଭାଗ ପକ୍ଷରୁ ଆବଶ୍ୟକ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ପୂର୍ବରୁ କେବେ ଏଭଳି ଘଟଣା ଘଟିନଥିବାରୁ ଏହି ଜିଲ୍ଲାର ଲୋକମାନେ ବଣୁଆହାତୀ ପ୍ରତି ସଚେତନ ହୋଇନାହାନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ବଣୁଆହାତୀର ପ୍ରବେଶକୁ ନେଇ ଲୋକମାନଙ୍କୁ ପୂର୍ବରୁ ବନ ବିଭାଗ ସଚେତନ ମଧ୍ୟ କରାଇନଥିବା ସୂଚନା ମିଳିଛି । ଫଳରେ ଜିଲ୍ଲାର ଧନଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ବନ ବିଭାଗ ପକ୍ଷରୁ ସେହି ବଣୁଆ ହାତୀକୁ ଧରାଯିବା ସହ ଲୋକମାନଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର