ଭୁବନେଶ୍ୱର,୩୦/୧୦/୨୦୨୧(ଓଡ଼ିଶା ସମାଚାର)- ମର୍ଯ୍ୟାଦା ସମ୍ପନ୍ନ ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ର ଲିଃରେ ଚାଲିଥିବା ଅନିୟମିତତା ଏବଂ ବେଆଇନ୍ କାର୍ଯ୍ୟକଳାପକୁ ଓଡ଼ିଶା ହାଇକୋର୍ଟର ଛାଟ ମାରିଛି । ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବିଶ୍ୱନାଥ ରଥ ଏ ସଂକ୍ରାନ୍ତରେ ଏକ ରିଟ୍ ପିଟିସନର ବିଚାର କରି ଗତ ୪.୧୦.୨୦୨୧ରେ ଏକ ଆଦେଶନାମାରେ କହିଛନ୍ତି ଯେ, ୨୦୨୧ ମସିହାରେ କରାଯାଇଥିବା ବାର୍ଷିକ ନିର୍ବାଚନ ସମ୍ପୂର୍ଣ୍ଣ ଅବୈଧ । ମାନ୍ୟବର ଜଷ୍ଟିସ୍ ରଥ କହିଛନ୍ତି ଯେ, ଜାନୁୟାରୀ ୨୦, ୨୦୨୧ରୁ ଜାନୁୟାରୀ ୨୨, ୨୦୨୧ ମଧ୍ୟରେ ହୋଇଥିବା ନିର୍ବାଚନ ଚ୍ୟାମ୍ବର ଆର୍ଟିକ୍ଲସ ଅଫ୍ ଆସୋସିଏସନ (ଏଓଏ) କିମ୍ବା କମ୍ପାନୀ ଆକ୍ଟ ୨୦୧୩ର ନିୟମକୁ ଉଲଂଘନ କରୁଅଛି । ତେଣୁ ଏହି ନିର୍ବାଚନର ଫଳାଫଳ ସମ୍ପୂର୍ଣ୍ଣ ଅବୈଧ । ଏଥିସହ ଏହି ବେଆଇନ ନିର୍ବାଚନରେ ନିଜକୁ ନିର୍ବାଚିତ ସଭାପତି ବୋଲି ଦାବି କରୁଥିବା ବ୍ରହ୍ମାନନ୍ଦ ମିଶ୍ର ଏ ସଂକ୍ରାନ୍ତରେ ଫାଇଲ୍ କରିଥିବା ରିଟ୍ ପିଟିସନକୁ ମାନ୍ୟବର ଅଦାଲତ ଖାରଜ କରିଛନ୍ତି । ଜଷ୍ଟିସ ରଥ କହିଛନ୍ତି ଯେ, ଯେହେତୁ କମ୍ପାନୀର ବୋର୍ଡ଼ ଅଫ୍ ଡ଼ାଇରେକ୍ଟରସ୍ଙ୍କ ସମ୍ମିତି ବିନା ଶ୍ରୀ ମିଶ୍ର ଏହି ପିଟିସନ ଫାଇଲ କରିଛନ୍ତି, ଏହା ଗ୍ରହଣୀୟ ନୁହେଁ । ଶ୍ରୀ ମିଶ୍ରଙ୍କ ପକ୍ଷରୁ କରାଯାଇଥିବା ଆବେଦନ ତାଙ୍କ ବିରୁଦ୍ଧରେ ପୂର୍ବରୁ ନ୍ୟାସନାଲ କମ୍ପାନୀ ଲ ଟି୍ରବୁନାଲ (ଏନ୍.ସି.ଏଲ୍.ଟି)ରେ ଦାୟର ହୋଇଥିବା ମାମଲାକୁ ରଫାଦଫା କରିବା ପାଇଁ ଆବେଦନ କରିଥିଲେ । ଏଥିରେ ସେ ଯୁକ୍ତି ଦର୍ଶାଇଥିଲେ ଯେ, ଏହି ମାମଲା ଟି୍ରବୁନାଲର କ୍ଷମତା ପରିସରରେ ଆସୁନାହିଁ ଏବଂ ଦୁଇ ପୂର୍ବତନ ନିର୍ଦ୍ଧେଶକ ତାଙ୍କ ବିରୁଦ୍ଧରେ ଏଭଳି ମାମଲା ଆଣିବା ପାଇଁ ଅଧିକୃତ ନୁହଁନ୍ତି । ଏହି ମାମଲାରେ ସୁପି୍ରମକୋର୍ଟଙ୍କ ଶୁଣାଣି ଆଧାରରେ ଜଷ୍ଟିସ ରଥ କହିଥିଲେ ଯେ ଏନସିଏଲଟି ହିଁ ବଚାର କରିବା ପାଇଁ ଅଧିକୃତ ବରଂ ସିଭିଲ୍ କୋର୍ଟଙ୍କ କୌଣସି କ୍ଷମତା ନାହିଁ । ଏଥିସହିତ ଏହି ମାମଲାରେ ପୂର୍ବରୁ ହାଇକୋର୍ଟ ଦେଇଥିବା ରହିତାଦେଶକୁ ଜଷ୍ଟିସ ରଥ ଉଠାଇ ଦେଇଥିଲେ ଏବଂ ମାମଲାର ନିଷ୍ପତି ଏନସିଏଲଟିଙ୍କ ଉପରେ ଛାଡ଼ି ଦେଇଛନ୍ତି । ପୂର୍ବରୁ ଏନସିଏଲଟିଙ୍କ ଆଗରେ ବେନିୟମ ଭାବେ କରାଯାଇଥିବା ନିର୍ବାଚନ ବିରୁଦ୍ଧରେ ଆବେଦନ କରାଯାଇଥିଲା । ବୋର୍ଡ଼ ଅଫ ଡ଼ିରେକ୍ଟରର୍ସଙ୍କ ବୈଠକର ନିଷ୍ପତିିରେ ହୋଇଥିବା ନିର୍ବାଚନକୁ ଅବୈଧ ଘୋଷଣା କରିବାକୁ ଆବେଦନରେ ଦର୍ଶାଯାଇଥିଲା । ଏଥିସହ ବେଆଇନ ଭାବେ କଢାଯାଇଥିବା ଦୁଇ ପୂର୍ବତନ ନିର୍ଦ୍ଧେଶକଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଆବେଦନ କରାଯାଇଥିଲା । ଏଥିସହ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରି ତାଙ୍କ ତତ୍ୱାବଧାନରେ ସମସ୍ତ ଆକାଉନ୍ଟ ଏବଂ ଦସ୍ତାବିଜର ତଦାରଖ କରିବାକୁ ଆବେଦନ କରାଯାଇଥିଲା ।
ପୂର୍ବ ସଭାପତିଙ୍କ ସମୟରୁ ଏଭଳି ବେନିୟମ କାମ ହୋଇଆସୁଛି । ପୂର୍ବତନ ସଭାପତି ଶ୍ରୀଯୁକ୍ତ ରମେଶ ମହାପାତ୍ର ବୋର୍ଡ଼ ଅଫ ଡ଼ିରେକ୍ଟରର୍ସଙ୍କୁ ଅଣଦେଖା କରିବା ସହ ଆର୍ଟିକିଲ୍ସ ଅଫ୍ ଆସୋସିଏସନ (ଏଓଏ) ଏବଂ କମ୍ପାନୀ ଆକ୍ଟ ୨୦୧୩ର ନିୟମକୁ ଉଲଂଘନ କରିଆସୁଥିଲେ । ଏନେଇ କମ୍ପାନୀ ଆର୍ଟିକିଲସ୍ ଅଫ ଆସୋସିଏସନ (ଏଓଏ)ର ସଂଶୋଧନ ଆବଶ୍ୟକତା ପଡୁଥିବା ବେଳେ ପୂର୍ବତନ ସଭାପତି ରମେଶ ମହାପାତ୍ର ଉଦ୍ଧେଶ୍ୟମୂଳକ ଭାବେ ନିଜ ସଭାପତିତ୍ୱ କାଳରେ ଏନେଇ କୌଣସି ପଦକ୍ଷେପ ନେଇନଥିଲେ । ଯାହାଫଳରେ ସମସ୍ତ ନିର୍ଦ୍ଧେଶକଙ୍କୁ କର୍ପୋରେଟ ଆଫାୟାର୍ସ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ୍ କରାଯାଇଛି । ପରବର୍ତୀ ସମୟରେ ବେଆଇନ ଭାବେ ସଭାପତି ହେବା ପରେ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମିଶ୍ର ଆର୍ଟିକିଲ୍ସ ଅଫ୍ ଆସୋସିଏସନ (ଏଓଏ)ର ସଂଶୋଧନ କରି କର୍ପୋରେଟ ଆଫାୟାର୍ସ ମନ୍ତ୍ରଣାଳୟ ଏବଂ ରେଜିଷ୍ଟାର ଅଫ୍ କମ୍ପାନୀଙ୍କ ନିକଟରେ ଦାଖଲ କରିଥିଲେ । କିନ୍ତୁ ଏହା କମ୍ପାନୀ ଆକ୍ଟ ୨୦୧୩ର ନିୟମ ପରିସରରେ ଆସୁନଥିବାରୁ ରେଜିଷ୍ଟାର ଅଫ୍ କମ୍ପାନୀଜ୍ ଏହାକୁ ସ୍ୱୀକୃତି ଦେଇନଥିଲେ । ଯାହାଫଳରେ କମ୍ପାନୀ ନିୟମ ଉଲଂଘନ ଯୋଗୁଁ ବ୍ୟକ୍ତିଗତ ଭାବେ ସବୁ ନିର୍ଦ୍ଧେଶକ ରେଜିଷ୍ଟାର ଅଫ୍ କମ୍ପାନିଜଙ୍କ ନଜରକୁ ଆସିଥିଲେ । ଏ ନେଇ ସମସ୍ତ ନିର୍ଦ୍ଧେଶକଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅତିରିକ୍ତ ସିଜିଏମ୍ କୋର୍ଟ କଟକଙ୍କ ନିକଟରେ ରେଜିଷ୍ଟାର ଅଫ୍ କମ୍ପାନୀଜଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି ଏବଂ ଏ ନେଇ କୋର୍ଟଙ୍କ ନିକଟରେ ପକ୍ଷ ରଖିବାକୁ ସମସ୍ତଙ୍କୁ ସମନ ଜାରି ହୋଇଛି ।
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶ ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର ଏବଂ ସେହି ଅବୈଧ ନିର୍ବାଚନରେ ନିର୍ବାଚିତ ହୋଇଥିବା ଅନ୍ୟ ସମସ୍ତ ଡ଼ାଇରେକ୍ଟରଙ୍କ କାର୍ଯ୍ୟ କରିବାର କୌଣସି ନୈତିକ କିମ୍ବା ଆଇନଗତ ଅଧିକାର ନାହିଁ । ଉଚ୍ଚ ନ୍ୟାୟାଳୟର ଆଦେଶକୁ ସମ୍ମାନ ଜଣାଇ ସେମାନେ ଅତିଶୀଘ୍ର ପଦତ୍ୟାଗ କରିବା ଉଚିତ ଏବଂ ଆଇନ ଅନୁଯାୟୀ ଆଉଥରେ ଶୀଘ୍ର ନିର୍ବାଚନ ହେବା ଉଚିତ୍ । ୟୁସିଆଇଏଲ୍ ନିୟମ ଅନୁଯାୟୀ ଚାଲିଲେ ରାଜ୍ୟର ଆର୍ଥିକ ବୃଦ୍ଧି ହେବା ସହ ଆଗାମୀ ସମୟରେ ଅନୁଷ୍ଠାନର ଗରିମା ଅକ୍ଷୁର୍ଣ୍ଣ ରହିପାରିବ । ତେଣୁ ମର୍ଯ୍ୟାଦାସମ୍ପନ୍ନ ଅନୁଷ୍ଠାନ ୟୁସିସିଆଇଏଲରେ ଚାଲିଥିବା ଏଭଳି ଅନିୟମିତତାକୁ ଲୋକଲୋଚନକୁ ଅଣାଯାଉ । ପୂର୍ବତନ ନିର୍ଦ୍ଧେଶକଙ୍କ ତରଫରୁ ଏ ସଂକ୍ରାନ୍ତରେ ମାମଲା ନିମ୍ନ ଅଦାଲତରେ ଆଡ଼ଭୋକେଟ ତପନ କୁମାର ହରିଚନ୍ଦନ ପରିଚାଳନା କରୁଥିଲେ । ଉଚ୍ଚ ନ୍ୟାୟାଳୟରେ ସେମାନଙ୍କ ତରଫରୁ ସିିନିୟର ଆଡ଼ଭୋକେଟ ଶ୍ରୀ ମନୋଜ ମିଶ୍ର, ଆଡ଼ଭୋକେଟ ଶ୍ରୀ ଲଳିତେନ୍ଦୁ ମିଶ୍ର, ଶ୍ରୀ ଶାଶ୍ୱତ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରୁଥିଲେ । ଓଡ଼ିଶା ସମାଚାର