କେନ୍ଦ୍ରାପଡ଼ା, ୨୯/୧୦/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା କାର୍ୟ୍ୟାଳୟ ସଦଭାବନା ସଭାଗୃହ ପରିସରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ପ୍ରକୃତିକ ବିପର୍ୟୟ ଓ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାତ୍ୟା, ବନ୍ୟା, ସୁନାମୀ ଭଳି ପ୍ରକୃତିକ ବିପର୍ୟୟର ଭୟାବହତା, ତୀବ୍ରତା ତଥା କ୍ଷୟକ୍ଷତିକୁ ଜନସାଧାରଣ ତଥା ସର୍ବୋପରି ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଉତମ ଯୋଗାଯୋଗ ଓ ସୁପରିଚାଳନା କରିପାରିଲେ ଆମେ ଏହାର ସଫଳ ମୁକାବିଲା କରିପାରିବା ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଫନି, ହୁଡୁହୁଡୁ, ତିତିଲି ଭଳି ପ୍ରାକୃତିକ ବିପର୍ୟୟର ସଫଳ ମୁକାବିକା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାକୃତିକ ବିପର୍ୟୟ ସମୟରେ ସ୍କୁଲ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଉଥିବା ଜନସାଧାରଣ ଓ କ୍ଷୟକ୍ଷତିରେ ପିଡିତ ଲୋକମାନଙ୍କୁ ବାତ୍ୟା ସମୟ ଓ ପରେ ମାଗଣା ଭୋଜନ, ସ୍ୱସ୍ଥ୍ୟସେବା ସହ ବିଜୁଳି ଯୋଗାଣ ପାଇଁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆଶ୍ରୟସ୍ଥଳୀର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର, ସ୍ଥାନୀୟ ଶିକ୍ଷକ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ଶୂନ୍ୟ ମୃତୁ୍ୟହାର ନିମନ୍ତେ ନିୟୋଜନର ଆବଶ୍ୟକତା ରହିଛି । ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥୀ ସ୍ୱାଗତ ଅଭିଭାଷଣ ଓ ଦିବସ ପାଳନର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଜିଲ୍ଲାରେ ୧୧୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ୧୯ଟି ନିର୍ମାଣଧୀନ ଅଛି ବୋଲି ଶ୍ରୀ ଶତପଥି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣା ବାତ୍ୟା ପରିଚାଳନା ସମ୍ପର୍କରେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକତ୍ିସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ଦାସ, ସଂସ୍ଥା ଅଧିକାରୀ ରାଜେନ୍ଦ୍ର କୁମାର ଆଚାର୍ୟ୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ତନ୍ମୟ କୁମାର ଜେନା ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ, ଜରୁରୀକାଳୀନ ବିଭାଗର କର୍ମଚାରୀ ଓ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରାରମ୍ଭରେ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ସମସ୍ତେ ନିଜର ଶକ୍ତି ଓ ସାମର୍ଥ୍ୟ ଅନୁସାରେ କାର୍ୟ୍ୟ କରିବା ସହ ଉଦ୍ଧାର ଓ ରିଲିଫ କାର୍ୟ୍ୟରେ କାର୍ୟ୍ୟରତ କର୍ମଚାରୀ, ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସହଯୋଗୀ ଦଳମାନଙ୍କୁ ସାହାଯ୍ୟ କରିବେ ବୋଲି ଶପଥ ପାଠ କରିଥିଲେ । ଓଏସଡିଏମଏ ଦ୍ୱାରା ପ୍ରସ୍ତୁତ ଫନି ବାତ୍ୟାର ଭିଡିଓ ପ୍ରଦର୍ଶନ କରାଯାଇ ବିପର୍ୟୟ, କ୍ଷୟକ୍ଷତି ଓ ତୀବ୍ରତା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଶେଷରେ ଜରୁରୀକାଳୀନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
