କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅଂଚଳରେ ଗ୍ୟାଙ୍ଗ ୱାର । ପାଟକୁରା ଥାନା ଅନ୍ତର୍ଗତ ନୂଆପଡ଼ା ବଜାରରେ ଗୁରୁବାର ସନ୍ଧ୍ୟାରେ ଗ୍ୟାଙ୍ଗ ୱାର ହୋଇଛି । ଦୁଇଜଣ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ମାର୍ଶାଘାଇ ହସପିଟାଲ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ସଙ୍କଟାପନ୍ନ ହୋଇଥିବା ଦୁଇଜଣ ହେଉଛନ୍ତି ହଳଦିଆ ଭଗବାନପୁର ର ଗ୍ୟାଙ୍ଗଷ୍ଟାର ପ୍ରତାପ ସାହୁ ଆଲିଆସ (ବିଭୁ) ଓ ତାଙ୍କ ଭାଇ ପ୍ରଭାତ ସାହୁ । ଅନ୍ୟ ଜଣେ ପାରାଦୀପ ଅଂଚଳର ବୈଦ୍ୟନାଥ ମହାପାତ୍ର । ସେ ବିଭୁର ସହଯୋଗୀ । ସେ କେନ୍ଦ୍ରାପଡ଼ା ହସପିଟାଲରେ ଭର୍ତି ହୋଇଛନ୍ତି । ଏହି ଘଟଣା ଘଟିବା କ୍ଷଣି ଭୟରେ ନୂଆପଡ଼ା ବଜାରରେ ଥିବା ଶତାଧିକ ବୋକାନ ବଜାର ବନ୍ଦ ହୋଇଯାଇଛି । ଛାନିଆରେ ସମସ୍ତେ ଦୋକାନ ବନ୍ଦ କରି ପଳାଇଥିଲେ । ଘଟଣାଟି ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଥିବାବେଳେ ଖବର ପାଇ ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ ଓ ମାର୍ଶାଘାଇ ଥାନା ଆଇଆଇସି ପି କେ କାନୁନଗୋ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛନ୍ତି ହେଲେ ଘଟଣା ସମ୍ପର୍କରେ କହିବାକୁ ବଜାର ରେ କେହି ନାହାନ୍ତି ।
ମିଳିଥିବା ସୂଚନା ରୁ ପ୍ରକାଶ ଯେ ସାର୍ପ ସୁଟର ବିଭୁ ନିକଟରେ ଜେଲ ରୁ ଜାମିନ ରେ ଆସିଛନ୍ତି । ଆଜି ବିଭୁ ଓ ତାଙ୍କ ଭାଇ ପ୍ରଭାତ ସହିତ ଏକ କାର ରେ ନିକଟସ୍ଥ ନୂଆପଡ଼ା ବଜାରକୁ ଆସିବା ବାଟରେ ତାଳସଙ୍ଗା ଛକରେ ପ୍ରଶାନ୍ତ ବେହେରା ଙ୍କୁ ଦେଖିଥିଲେ । ପୂର୍ବ ଶତୃତା କାରଣରୁ କାର ରୁ ଓହ୍ଲାଇ ପ୍ରଶାନ୍ତ କୁ ଆକ୍ରମଣ କରିବା ସହିତ ତାଙ୍କ ବାଇକ୍ କୁ ଭଙ୍ଗାରୁଜା କରିଥିଲେ । ପ୍ରଶାନ୍ତ ଜୀବନ ବିକଳରେ ନିକଟସ୍ଥ ଖରଦା ସାହି ନିଜ ଘରକୁ ଦୌଡ଼ି ଦୌଡ଼ି ପଳାଇଥିଲା । ବିଭୁ ଏବଂ ତାଙ୍କ ଭାଇ ବାଇକ୍ ଟିକୁ ଭଙ୍ଗାରୁଜା କରି ନଦୀବନ୍ଧ ତଳକୁ ଫିଙ୍ଗି ଦେଇ ନିଜ କାର ରେ ନୂଆପଡ଼ା ବଜାରକୁ ପଳାଇଥିଲେ । ପ୍ରଶାନ୍ତ ନିଜର ୫ / ୬ ଜଣ ସହଯୋଗୀଙ୍କୁ ଏକାଠି କରି ତାଳସଙ୍ଗା ଛକକୁ ଆସିଥିଲେ । ନିଜ ବାଇକ ଟି ଭାଙ୍ଗିରୁଜି ନଦୀ ବନ୍ଧ ତଳକୁ ପଡ଼ିଥିବା ଦେଖି ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ବିଭୁ ନୂଆପଡ଼ା ବଜାରରେ ଆସର ଜମାଇଥିବା ଖବର ପାଇ ସେଠାରେ ପ୍ରଶାନ୍ତ ଓ ତାଙ୍କର ସହଯୋଗୀମାନେ ପହଂଚିଯାଇଥିଲେ । ନୂଆପଡ଼ା ବଜାରର ମୁଖ୍ୟ ଛକ ନିକଟରେ ଥିବା ମାଛ ଗଦି ନିକଟରେ ବିଭୁ କୁ ଦେଖି ପ୍ରଶାନ୍ତ ଓ ତାର ସହଯୋଗୀମାନେ ସେଠାରେ ପହଂଚି ଅତର୍ଳିତଭାବେ ବିଭୁ ଉପରେ ଯୋରଦାର ଆକ୍ରମଣ କରିଥିଲେ । ମୂଳିଆ ଠେଙ୍ଗାରେ ବିଭୁ ତାଙ୍କ ଭାଇ ପ୍ରଭାତ ଓ କାର ଡ଼୍ରାଇଭର ଉପରେ ଯୋରଦାର ହାମଲା କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ବିଭୁ ଓ ତାଙ୍କ ଭାଇ ପଡ଼ିଥିବାବେଳେ କାର ଡ଼୍ରାଇଭର ପାରାଦୀପ ଅଂଚଳର ବୈଦ୍ୟନାଥ ମହାପାତ୍ର ଗୁରୁତର ଅବସ୍ଥାରେ ଥାଇ ମଧ୍ୟ କାର ନେଇ ଫେରାର ହୋଇଯାଇଥିଲା । ପରେ ସେ କେନ୍ଦ୍ରାପଡ଼ା ହସପିଟାଲରେ ଭର୍ତି ହୋଇଛି । ସେ ବିଭୁର ସହଯୋଗୀ । ପ୍ରଶାନ୍ତ ଓ ତାଙ୍କର ସହଯୋଗୀମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ । ବଜାରରେ ଏଭଳି ଘଟଣା ଦେଖି କୋକୁଆ ଭୟ ସୃଷ୍ଟି ହୋଇଥିଲା । ୫ ମିନିଟ ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଯେ ଯୁଆଡ଼େ ପଳାଇଥିଲେ । ଖବର ପାଇ ପାଟକୁରା ପୋଲିସ ଘଟଣାସ୍ଥଳରେ ପହଂଚି ଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ସଙ୍କଟାପନ୍ନ ଅବସ୍ଥାରେ ସାର୍ପ ସୁଟର ବିଭୁ ଓ ତାଙ୍କ ଭାଇ ପ୍ରଭାତ ଙ୍କୁ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିବା ଜଣାପଡ଼ିଛି ।
ଉଲେଖନୀୟ ଏହିକି ପ୍ରଶାନ୍ତ ଙ୍କ ମାର୍ଫତରେ ବିଚଣା ବାଲିଘାଟ ଚାଲୁଛି । ବଜରଙ୍ଗ ଦଳ ସହିତ ସମ୍ପୃକ୍ତ ଥିବାବେଳେ ବିଭୁ ଗ୍ୟାଙ୍ଗ ଷ୍ଟାର ଟିଟୋ ସହିତ ସମ୍ପୃକ୍ତ ଥାଇ ବିଭିନ୍ନ ଅପରାଧ ଘଟାଇଥାଏ । ଅଂଚଳରେ କାହାର ଦବଦବା ରହିବ ସେଥିପାଇଁ ପରସ୍ପର ମଧ୍ୟରେ ଶତୃତା ରହିଛି । ସେ ଗିରଫ ହୋଇ ଜେଲ ରେ ଥିଲା । କିଛି ଦିନ ତଳେ ଜାମିନରେ ବିଭୁ ଆସିଥିଲା । ବିଭୁ ନାମରେ ବିଭିନ୍ନ ଥାନାରେ ଅପରାଧୀକ ମାମଲା ରହିଛି । ଓଡ଼ିଶା ସମାଚାର