Friday , September 29 2023
Breaking News
Home / ବିଶେଷ / ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କୁ ଦାବିପତ୍ର

ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୭/୧୦/୨୦୨୧(ଓଡ଼ିଶା ସମାଚାର)- ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ କେନ୍ଦ୍ରାପଡା ପ୍ରଭାଗୀୟ ଶ୍ରମ ସଂସ୍ଥାପକ ତଥା ଜିଲ୍ଲା ଶ୍ରମ ଅଧିକାରୀ ମହେଶ୍ୱର ନାୟକଙ୍କୁ ଏକ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲ୍ଲାର ୧୫ହଜାରରୁ ଉଦ୍ଧ୍ୱର୍ ନିର୍ମାଣ ଶ୍ରମିକଙ୍କୁ ଅଦ୍ୟାବଧି କୋଭିଡ ସହାୟତା ପ୍ରଦାନ କରାନଯିବା, ୩ବର୍ଷରୁ ଅଧିକ ହେବ ପଞ୍ଜିକରଣ ପାଇଁ ଆବେଦନପତ୍ର  ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡି ରହିବା, ପଞ୍ଜିକରଣ ପାଇଁ ମହିଳା ଓ ପୁରୁଷଙ୍କ ମଧ୍ୟରେ ଶ୍ରମ କାର୍ଯ୍ୟାଳୟରେ ତାରତମ୍ୟ ଧରାଯିବା, ଦୀର୍ଘ ବର୍ଷ ଧରି ଆବେଦନ କରିଥିବା ଦରଖାସ୍ତକାରୀଙ୍କ  ମଧ୍ୟରୁ କେତେକଙ୍କ ମୃତୁ୍ୟ ହୋଇଯାଇଥିବାରୁ ସେଥିନିମନ୍ତେ ଶ୍ରମ କାର୍ଯ୍ୟାଳୟ ସେମାନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ କରିବା, ପୁରୁଣା ଦରଖାସ୍ତ ପଡିରହିଥିବା ବେଳେ ନୂତନ ଦରଖାସ୍ତ ପଞ୍ଜିକରଣ ହେବା ଘଟଣାର ତଦନ୍ତ କରାଯିବା, କୋଭିଡ ସମୟରେ ୨୦ହଜାରରୁ ଉଦ୍ଧ୍ୱର୍ ଅଣସଂଗଠିତ ଶ୍ରମିକଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ରରେ ବ୍ୟାପକ ଦୁର୍ନୀତିର ତଦନ୍ତ କରାଯିବା, ଜଣେ ଡିଇଓଙ୍କ ଦ୍ୱାରା ନବୀକରଣ ରସିଦ କଟାଯାଉଥିବାରୁ ମାସ ମାସ ଧରି ନବୀକରଣରେ ବିଳମ୍ବର ନିରାକରଣ, ନିର୍ମାଣ ଶ୍ରମିକଙ୍କ ମୃତୁ୍ୟ କାଳୀନ ସହାୟତା ୬୦ଦିନ ମଧ୍ୟରେ ପ୍ରଦାନର ସରକାରୀ ନିୟମ ଥିବାବେଳେ ଗତ ୨୦୧୭ମସିହାରୁ ସେହି ଆବେଦନପତ୍ର ପଡିରହିବା, ୨୦୧୮ମସିହାରୁ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସାଇକେଲ, ଯନ୍ତ୍ରପାତି ବାବଦ ସହାୟତା ମଞ୍ଜୁରୀ ହୋଇଥିବା ବେଳେ ପ୍ରଦାନ କରାନଯିବା, ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ଛାତ୍ରବୃତି ଦରଖାସ୍ତ ଗୁଡିକୁ ତୁରନ୍ତ ମଞ୍ଜୁର କରାଯିବା, ନିର୍ମାଣ ଶ୍ରମିକଙ୍କ ପକ୍କାଘର ଯୋଜନା, ପେନସନ ଯୋଜନା ଏବଂ ଦୁରାରୋଗ୍ୟ ସହାୟତା ଯୋଜନାରେ ଗତ ଦୁଇବର୍ଷ ଧରି ପଡିରହିଥିବା ଆବେଦନପତ୍ରକୁ ତୁରନ୍ତ ମଞ୍ଜୁର କରାଯିବା ପାଇଁ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ  ଶ୍ରୀ ତ୍ରିପାଠୀଙ୍କ ସମେତ ମନୋଜ କୁମାର ପରିଡା, ଭଗବାନ ବେହେରା, ଦିବାକର ବେହେରା, ଅନିରୁଦ୍ଧ ପୃଷ୍ଟି, ମନୋରଞ୍ଜନ ଜେନା, ହରେକୃଷ୍ଣ ମାହାଳି, ପ୍ରଦିପ୍ତ କୁମାର ସାମଲ, କାର୍ତିକ ବେହେରା, ଶୁକଦେବ ସାହୁ, ବିଶ୍ୱଜିତ ମିଶ୍ର, ଅମର କୁମାର ସାହୁ ପ୍ରମୁଖ ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପୁରଣ ନହେଲେ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେହି ଦାବିପତ୍ରର ନକଲ ୫-ଟି ସଚିବ, ଶ୍ରମ କମିଶନର, ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *