ଗରଦପୁର, ୨୬/୧୦/୨୦୨୧(ଓଡ଼ିଶା ସମାଚାର)-ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୂଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ନଇନ୍ଦିପୁର – ସିଙ୍ଗିଟିଆ, ଭାୟା କୋଡ଼ପଲା ରାସ୍ତା ନିର୍ମାଣ କାର୍ଯ୍ୟ ହେଉଛି । ଏଥିରେ ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କ ତରଫରୁ କୋଟି କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲେଖନ ପଡ଼ା ଓ ସିଙ୍ଗିଟିଆର ଗ୍ରାମବାସୀମାନେ ଆଜି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ । ମିଳିଥିବା ସୂଚନା ରୁ ପ୍ରକାଶ ଯେ ନଇନ୍ଦିପୁର – ସିଙ୍ଗିଟିଆ ରାସ୍ତା ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିଲା । ଏଥିରେ ନିତି ଦିନିଆ ଯା ଆସ ପାଇଁ କୋଡ଼ପଲା, ନଇନ୍ଦିପୁର, ଲେଖନପଡ଼ା, ସିଙ୍ଗିଟିଆ, ଚାନ୍ଦପଲଶ ଓ ପଣସୁଆପଡ଼ାର ଗ୍ରାମବାସୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ପ୍ରଚେଷ୍ଟା ରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ବ୍ୟୟ ବରାଦ କରାଯାଇ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଗତ ୧୩ ଡ଼ିସେମ୍ବର ୨୦୧୯ ତାରିଖରେ ବିଧାୟିକା ସାବିତ୍ରୀ ଅଗ୍ରୱାଲା ଙ୍କ ଦ୍ୱାରା ଏହି ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା । କିଛିଦିନ ବିଳମ୍ବରେ ସମ୍ପୃକ୍ତ ଠିକାଦାର କାମ ଆରମ୍ଭ କରିଥିଲେ । କାର୍ଯ୍ୟ ଆରମ୍ଭ ପାଇଁ ଠିକାଦାରଙ୍କ ବିଳମ୍ବ ପାଇଁ ଜନ ଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଥିଲା । ପରେ ଠିକାଦାର ନଇନ୍ଦିପୁର ଠାରୁ କୋଡ଼ପଲା ପର୍ଯ୍ୟନ୍ତ ରାସ୍ତାର କଂକ୍ରିଟ କାମ କରିଥିଲେ । ପୁଣି କିଛିଦିନ ଅନ୍ତରରେ ଏବେ ସେହି ରାସ୍ତାର ଲେଖନପଡ଼ା ଠାରୁ ସିଙ୍ଗିଟିଆ ଓ ସିଙ୍ଗିଟିଆ ଠାରୁ ଚାନ୍ଦପଲା ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି । ତେବେ ଏହି କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
କରାଯାଉଥିବା ରାସ୍ତାରେ ନିମ୍ନମାନର ସାମଗ୍ରୀ ଯଥା ଧଳା ଚିପ୍ସ ବ୍ୟବହାର କରାଯାଉଛି । ଏହି କାର୍ଯ୍ୟ ନିର୍ମାଣ ଚାଲୁଥିବାବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ରହୁଛନ୍ତି । ଏହି କାର୍ଯ୍ୟରେ ସିମେଂଟ ଭାଗ କମ କରାଯାଇ ବାଲି ଭାଗ ଅତ୍ୟଧିକ ମିଶାଯାଉଛି ବୋଲି ଏହିସବୁ ଅଭିଯୋଗ କରି ଆଜି ଲେଖନପଡ଼ା ଓ ସିଙ୍ଗିଟିଆ ଗ୍ରାମର ଗ୍ରାମର ୱାର୍ଡ ସଭ୍ୟ ନୃଶିଂହ ଚରଣ ରାଉତ,ଲେଖନପଡା ଗ୍ରାମର ୱାର୍ଡ ସଭ୍ୟ ସୁବାଷ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ରାଉତ,ସଞ୍ଜୟ କୁମାର ଦାସ, ପ୍ରଭାତ ଦାସ, ଭାଗ୍ୟଧର ରାଉତ,ସୁଶାନ୍ତ କୁମାର ରାଉତ, ଧରଣୀଧର ରାଉତ ଓ ପ୍ରଫୁଲ୍ଲ କୁମାର ସେନାପତି ପ୍ରମୁଖ ରାସ୍ତାକାମ ନିମ୍ନ ମାନର ଓ କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତି ଅଭିଯୋଗ କରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ । ଦୀର୍ଘ ସମୟ ଧରି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ଖବର ବିଭାଗୀୟ ଅଧିକାରୀଙ୍କ ପାଖରେ ପହଂଚିଥିଲା । ଘଟଣାସ୍ଥଳରେ କେନ୍ଦ୍ରାପଡ଼ାରୁ ଆସି କନିଷ୍ଟଯନ୍ତ୍ରୀ ମଧୁସୂଦନ ଦାସ,ସ୍ଥାନୀୟ ସରପଂଚ ସୂର୍ଯ୍ୟମଣି ସେଠୀ ପହଂଚିଥିଲେ । ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା ପରେ କାମର ମାନ ଠିକ୍ କରିବା ଓ କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିବା ପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରତିଶୃତି ଦେବା ପରେ ନିର୍ମାଣ କାର୍ଯ୍ୟ ଚାଲୁ ହୋଇଥିଲା । ଓଡ଼ିଶା ସମାଚାର
