କଟକ, ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ନିର୍ଦେଶାଳୟରେ ସାଧୁତାର ଶପଥ ପାଠ କାର୍ୟ୍ୟକ୍ରମ ଆଜି ପୂର୍ବାହ୍ନ ୧୧ ଟା ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଧେଶକ ଶ୍ରୀ ଯଶୋବନ୍ତ କୁମାର ଜେଠୱା ଅଧ୍ୟକ୍ଷତା କରି ଭିଜିଲାନ୍ସ ନିର୍ଦେଶାଳୟ, ସେଲ ଡିଭିଜନ୍ ର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମସ୍ତ କାର୍ୟ୍ୟରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ଦୂର କରିବା ପାଇଁ ବିନା ଦ୍ୱିଧାରେ କାର୍ୟ୍ୟ କରିବାକୁ ଶପଥ ପାଠ କରାଇଥିଲେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ନ୍ୟାୟ ପରାୟଣତା ଓ ଶାସନର ବିଧି ନିୟମର ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ଜେଠୱା ଏହି ଅବସରରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ନିର୍ଷ୍ଠାପୂର୍ବକ କାର୍ୟ୍ୟ କରିବା ଏବଂ ଆତ୍ମ ନିର୍ଭର ଓଡିଶା ଗଠନ ନିମନ୍ତେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।
ଏହି ଶପଥ ପାଠ କାର୍ୟ୍ୟକ୍ରମରେ ଆଇ.ଜି. ଭିଜିଲାନ୍ସ ଶ୍ରୀ ସଂଜୟ କୁମାର କୌଶଲ, ଆଇନ ପରାମର୍ଶଦାତା ଶ୍ରୀ ଶ୍ୟାମ ସୁନ୍ଦର ଦାଶଙ୍କ ସମେତ ଦୁର୍ନୀତି ନିବାରଣ ନିର୍ଦେଶାଳୟର ବହୁ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର