Tuesday , May 30 2023
Breaking News
Home / ରାଜନୀତି / ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ କମୁ୍ୟନିଷ୍ଟନେତା ବସୁଦେବ ଭୋଇଙ୍କ ବିୟୋଗରେ ସିପିଆଇର ଶୋକ

ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ କମୁ୍ୟନିଷ୍ଟନେତା ବସୁଦେବ ଭୋଇଙ୍କ ବିୟୋଗରେ ସିପିଆଇର ଶୋକ

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶାର ବିଶିଷ୍ଟ ଆଦିବାସୀ ଓ କମୁ୍ୟନିଷ୍ଟ ନେତା କମ୍ରେଡ଼ ବସୁଦେବ ଭୋଇଙ୍କ ବିୟୋଗରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ଗଭୀର ଶୋକ ପ୍ରକାଶ କରିଛି ।
ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସହସମ୍ପାଦକ କ୍ଷୀରୋଦ ସିଂହଦେଓ ଓ ପ୍ରଶାନ୍ତ ମିଶ୍ର, ସମ୍ପାଦକମଣ୍ଡଳୀ ସଭ୍ୟ ଅଶୋକ ଦାଶ ଏକ ଶୋକବାର୍ତାରେ କହିଛନ୍ତି– କମ୍ରେଡ଼ ବସୁଦେବ ଭୋଇ ଅଖିଳ ଭାରତ ଆଦିବାସୀ ମହାସଭାର ରାଜ୍ୟ ସମ୍ପାଦକ ଥିଲେ । ଗତକାଲି ଝାରସୁଗୁଡ଼ା ଜିଲ୍ଲା କୁଶରାଲୋଇ ଗ୍ରାମପଂଚାୟତରେ ଥିବା ନିଜ ଗ୍ରାମ ଛଡ଼ା ରୋମାଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା ।
କମ୍ରେଡ଼ ବସୁଦେବ ଭୋଇ ଅବିବାହିତ ଥିଲେ । ଓଡ଼ିଶାର ବିଶିଷ୍ଟ ଜନନେତା ତଥା ଭାରତର ପ୍ରଥମ ବିସ୍ଥାପିତ ଆନ୍ଦୋଳନ ହୀରାକୁଦ ବୁଡ଼ି ଅଂଚଳର ବିସ୍ଥାପିତ ଆନ୍ଦୋଳନର ନେତା କମ୍ରେଡ଼ ପ୍ରସନ୍ନ କୁମାର ପଣ୍ଡାଙ୍କ ପ୍ରେରଣାରେ ବସୁଦେବ ଭୋଇ ୧୯୭୬ ମସିହାରେ କମୁ୍ୟନିଷ୍ଟ ପାର୍ଟିର ସଭ୍ୟପଦ ଗ୍ରହଣ ସହିତ ସେଇଦିନଠାରୁ ଅଢ଼ାପଡ଼ାରେ ଥିବା ପ୍ରସନ୍ନ କୁମାର ପଣ୍ଡାଙ୍କ ବାସଗୃହରେ ମୃତୁ୍ୟର କିଛିଦିନ ପର୍ଯ୍ୟନ୍ତ ରହୁଥିଲେ । ସେ ୧୯୮୦ ଓ ୯୦ ଦଶକରେ ଅଢ଼ାପଡ଼ାର ସରପଂଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ରହିବା ସହିତ ସିପିଆଇର ଝାରସୁଗୁଡ଼ା ଜିଲ୍ଲା ସମ୍ପାଦକ ମଧ୍ୟ ରହିଥିଲେ । ଅଢ଼ାପଡ଼ାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ତାଙ୍କ ବିୟୋଗରେ ଓଡ଼ିଶା ଜଣେ ନିଷ୍ଠାପର ଓ ଲଢ଼ୁଆ ଆଦିବାସୀ ନେତା ଏବଂ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ତା’ର ଜଣେ ସୁଦକ୍ଷ ସେନାପତିଙ୍କୁ ହରାଇଲା । ଓଡ଼ିଶା ସମାଚାର

Leave a Reply

Your email address will not be published.