ଭୁବନ,୨୧/୧୦/୨୦୨୧(ଓଡ଼ିଶା ସମାଚାର)- ଧନଦାତ୍ରୀ,ଅନ୍ନପୂର୍ଣ୍ଣା ମା’ ଲକ୍ଷ୍ମୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉଚ୍ଛ୍ସବ ମୁଖର ହୋଇପଡିଛି । ଚଳିତବର୍ଷ ମଉଡମଣି ପୂଜା ପ୍ରତିଷ୍ଠାନ ବଡହାଟ , ଅରାସାହି, ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ନୂଆବଜାର, ବଉଳଛକ, ଲତାବିଲ(ଟୋଲଙ୍କ ବେରେଣୀ),ଗୋପାଳ ମଣ୍ଡପ, ଲକ୍ଷ୍ମୀଛକ, ବଣିଆସାହି,ବାଜିଛକ,ନୂଆଭୁବନ ପ୍ରଭୃତି ଅଂଚଳରେ ୨୦ ରୁ ଉଦ୍ଧ୍ୱର୍ ପୂଜାମଣ୍ଡପରେ ପୌରାଣିକ କଥାବସ୍ତୁ ଆଧାରରେ ମୂର୍ତି ନିର୍ମାଣ ସମସ୍ତଙ୍କୁ ଆକୃଷ୍ଟ କରିଛି । ସରକାରଙ୍କ କୋଭିଡ କଟକଣା ଯୋଗୁ କୌଣସି ସ୍ଥାନରେ ସୁଉଚ୍ଚତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ସାଜସଜ୍ଜା ହୋଇନାହିଁ ।
ଅରାସାହି – ୧୯୫୨ ମସିହାରେ ସାହିଭାଇଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ୨୦୦୨ ମସିହା ସ୍ୱର୍ଣ୍ଣଜୟନ୍ତୀ ବର୍ଷଠାରୁ ସାହିଭାଇଙ୍କ ଚାନ୍ଦାରେ ପ୍ରତିବର୍ଷ ମା ଙ୍କ ବଡପୂଜାରେ ଆନନ୍ଦ ବଜାରରେ ସାମୁହିକ ପ୍ରସାଦସେବନ କାର୍ଯ୍ୟକ୍ରମ ଅରାସାହିର ଏକ ମହାନ ପରମ୍ପରା ତଥା ଭାଇଚାରାର ପ୍ରତୀକ ପାଲଟିଛି । ଚଳିତବର୍ଷ ୬୯ ତମ ବାର୍ଷିକ ପୂଜା ପାଳନ କରୁଛି ଅରାସାହି ।
ନୂଆବଜାର-୧୯୬୫ ମସିହାରେ ସ୍ୱର୍ଗତ ଗୌରୀ ଶଙ୍କର ଲାଲ୍ ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ଚଳିତବର୍ଷ ୫୬ ବର୍ଷରେ ପଦାର୍ପଣ କରିଛି । ସୁଉଚ୍ଚ ତୋରଣ,ଲାଇଟଗେଟ ଓ ରଙ୍ଗିନ ଆଲୋକମାଳାରେ ସଂଧ୍ୟା ସମୟରେ ନୂଆବଜାର ଅମରାବତୀର ଭ୍ରମ ସୃଷ୍ଟି କରୁଛି । ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଓ ସଂପାଦକ ଭବାନୀ ଶଙ୍କର ବେହେରା ଙ୍କ ନେତୃତ୍ୱ ଓ ବଣିକସଂଘ କର୍ମକର୍ତା ଙ୍କ ସହଯୋଗରେ ପୂଜା ଅନୁଷ୍ଠିତ ହେଉଛି । ଆଜି ଗୁରୁବାର ମା ଙ୍କ ବଡପୂଜା ଅନୁଷ୍ଠିତ ହୋଇଛି ।
ବଡହାଟ- ଦେଶ ସ୍ୱାଧିନତା ୧୧ ବର୍ଷ ପୂର୍ବରୁ ଅର୍ଥାତ ୧୯୩୬ ମସିହାରେ ବଡହାଟ ଠାରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିବାରୁ ଏହା ମଉଡମଣି ପୂଜା ପ୍ରତିଷ୍ଠାନର ମାନ୍ୟତା ପାଇଛି । ଚଳିତ ବର୍ଷ ୮୬ ତମ ବାର୍ଷିକ ପୂଜା ପାଳନ ହେଉଛି । ଆଜି ମା’ ଙ୍କ ବଡପୂଜା ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଛି ।
ଟୋଲଙ୍କବେରେଣୀ(ଲତାବିଲ)- ୧୯୯୫ ମସିହାରେ ସାହି ବାସିନ୍ଦା ଙ୍କ ସହଯୋଗରେ ଟୋଲଙ୍କବେରେଣୀ ରେ ପ୍ରଥମେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା । ଆଜି ମା’ ଙ୍କ ବଡପୂଜା ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଛି । ଚଳିତବର୍ଷ ୨୭ ତମ ବାର୍ଷିକ ପୂଜା ଅନୁଷ୍ଠିତ ହେଉଛି ।
ଲତାବିଲ (ବଉଳଛକ)-୧୯୯୭ ମସିହାରେ ଲତାବିଲ ବଉଳଛକରେ ସାବି ବାସିନ୍ଦା ଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ଚଳିତ ବର୍ଷ ୨୫ ବର୍ଷରେ ପଦାର୍ପଣ କରିଛି । ଆଜି ମା’ ଙ୍କ ବଡପୂଜା ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ଯୋଗୁ ରୌପ୍ୟ ଜୟନ୍ତୀ ପାଳନ କରାଯାଉନାହିଁ ।
ଅନ୍ୟ ପୂଜା,ମଣ୍ଡପ ଗୁଡିକରେ ମଧ୍ୟ ଆଜି ମା’ ଙ୍କ ବଡପୂଜା ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର