Saturday , June 3 2023
Breaking News
Home / ବିଶେଷ / ପରିବା ଦର ଆକାଶ ଛୁଆଁ- ଖାଉଟି ଚିନ୍ତାରେ

ପରିବା ଦର ଆକାଶ ଛୁଆଁ- ଖାଉଟି ଚିନ୍ତାରେ

ପାରାଦୀପ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ସହରରେ ଦିନମଜୁରିଆ, ଶ୍ରମିକ, ଟ୍ରଲି ଚାଳକଙ୍କ ଠାରୁ ସବୁ ବର୍ଗର ଲୋକମାନେ ବସବାସ କରନ୍ତି । ପରିବା ଦର ଯେପରି ଦିନକୁ ଦିନ ବଢିବାରେ ଲାଗିଛି ତାକୁ ଦେଖି ଲୋକମାନେ ତ୍ରାହି ତ୍ରାହି ଡାକିଲେଣି । ପାରାଦୀପ ପରିବା ମାର୍କେଟରେ ମଙ୍ଗଳବାର ଦିନ ପୋଟଳ ୮୦ଟଙ୍କା, କାକୁଡି ୮୦ଟଙ୍କା, ଟମାଟୋ ୬୦, ବିନ୍ସ ୧୧୦, କଲରା ୬୦, କାଙ୍କଣ ୬୦, ଜହ୍ନି ୫୦,ବନ୍ଧାକୋବି ୬୦, ଫୁଲକୋବି ୬୦,ଗାଜର ୬୦, ଆଳୁ ୨୦, ପିଆଜ ୫୦, ଭେଣ୍ଡି ୫୦, ବାଇଗଣ ୭୦, ଧନିଆ ପତ୍ର ବିଡା ୪୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା । କରୋନା ମାଡକୁ ସାମ୍ନା କରି ପୁଣି ଥରେ ମୁଖ୍ୟସ୍ରୋତକୁ ଫେରୁଥିବା ସାଧାରଣ ଲୋକଙ୍କୁ ପରିବା ଦରବୃଦ୍ଧି ଅସହ୍ୟ ହୋଇ ପଡିଲାଣି । କାର୍ତିକ ମାସରେ ପ୍ରାୟତଃ ଓଡିଶାର ଲୋକମାନେ ଆମିଷ ନଖାଇ ନିରାମିଷ ଭୋଜନ କରିଥାନ୍ତି । ସାଧାରଣ ଲୋକଙ୍କ ବୃହତର ସ୍ୱାର୍ଥକୁ ଦେଖି ପରିବା ଦର କମ ହେବା କଥା । ତାହା ନକରି କିଛି ଅସାଧୁ ବ୍ୟବସାୟୀ ନିଜର ରୋଜଗାର ବଢେଇବା ପାଇଁ ପରିବା ଦରରେ ଅହେତୁକ ଭାବେ ବଢେଇବାରେ ଲଗିଥିବା ନେଇ ସାଧାରଣ ଲୋକମାନଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ପାରାଦୀପ ସହରରେ ଦିନକୁ ଦିନ ପରିବା ଦର ବୃଦ୍ଧି ଖାଉଟିମାନଙ୍କ ଚିନ୍ତା ବଢେଇ ଦେଲାଣି । ଦେଶରେ ତୈଳଦର ବୃଦ୍ଧି ଏହି ପରିବା ଦର ଆକାଶ ଛୁଆଁର ଅନ୍ୟତମ ପ୍ରମୁଖ କାରଣ ବୋଲି କିଛି ପରିବା ବ୍ୟବସାୟୀ କହିଛନ୍ତି । ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁଁ ଗାଡି ଭଡା ମଧ୍ୟ ବଢିଛି । ସେହି ହିସାବରେ ପରିବା ଦର ବଢିଥିବା ନେଇ ବ୍ୟବସାୟୀମାନେ ସଫେଇ ଦେଉଛନ୍ତି । ଘଟଣା ଯାହାବି ହେଉ ପାରାଦୀପର ଅନ୍ତେବାସୀ ପରିବା ଦରବୃଦ୍ଧିକୁ ସହଜରେ ହଜମ କରିପାରୁନାହାନ୍ତି । ନିୟନ୍ତ୍ରିତ ବଜାର କମିଟି ଏ ଦିଗରେ ତୁରନ୍ତ କିଛି ପଦକ୍ଷେପ ନେଲେ ସାଧାରଣ ଖାଉଟି ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.