Friday , September 22 2023
Breaking News
Home / ବିଶେଷ / ପାରାଦୀପ ବନ୍ଦର ଗେଟ୍ ନମ୍ବର ୪ରେ ପିଆଇସିଟି ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି

ପାରାଦୀପ ବନ୍ଦର ଗେଟ୍ ନମ୍ବର ୪ରେ ପିଆଇସିଟି ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି

ପାରାଦୀପ ୧୯/୧୦/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟକୁ ପ୍ରବେଶ କରିବା ପାଇଁ ରହିଛି ପାଂଚଗୋଟି ଗେଟ୍ ବା ପ୍ରବେଶ ପଥ । ସବୁଠୁ ଚଳଚଂଚଳ ଗେଟ୍ ହେଉଛି ପାରାଦୀପ ବଡପଡିଆ ଥାନା ଛକ ନିକଟରୁ ଅନତି ଦୂରରେ ଥିବା ଗେଟ୍ ନମ୍ବର ୪ । ପ୍ରତିଦିନ ପାରାଦୀପ ବନ୍ଦରର ଅଧିକାରୀ, କର୍ମଚାରୀ, ବନ୍ଦର ବ୍ୟବହାରକାରୀ ସଂସ୍ଥାର କର୍ମଚାରୀମାନେ ଏହି ଗେଟ୍ ଦେଇ ନିଜ ନିଜ କର୍ମସ୍ଥଳୀକୁ ଯାଇଥାନ୍ତି । ପାରାଦୀପ ବନ୍ଦରର ଗେଟ୍ ନମ୍ବର ୫ ନିକଟରେ ପାରାଦୀପ ଇଂଟରନ୍ୟାସନାଲ୍ କାର୍ଗୋ ଟର୍ମିନାଲ୍(ପିଆଇସିଟି) ତାର ବର୍ଥ ନିର୍ମାଣ ପରେ ଏହି ଗେଟ୍ ନମ୍ବର ୪ ଦେଇ ତାର ନିଜସ୍ୱ ବର୍ଥକୁ ରେଳ ଧାରଣା ନେଇଛି । ବନ୍ଦରର ଅଧିକାରୀ, କର୍ମଚାରୀ, ବନ୍ଦର ବ୍ୟବହାରକାରୀ ସଂସ୍ଥାର କର୍ମଚାରୀମାନେ  ଏହି ରେଳ ଧାରଣା ଅତିକ୍ରମ କଲେ ନିଜ କର୍ମସ୍ଥଳୀ ରେ ପହଂଚିବେ । ହେଲେ ଦିନର ଅନେକ ସମୟରେ ଏହି ରେଳଧାରଣାରେ ପିଆଇସିଟିର ପଣ୍ୟ ରେଳ ଯୋଗେ ଯାଉଥିବାରୁ ଡ୍ୟୁଟିକୁ ଯାଉଥିବା ଏହି ଅଧିକାରୀ ଓ କର୍ମଚାରୀମାନେ ଘଂଟା ଘଂଟା ଧରି ଏହି ଫାଟକ ନିକଟରେ ଅପେକ୍ଷା କରିବାକୁ ପଡୁଛି । ଠିକ୍ ସମୟରେ ଡ୍ୟୁଟିରେ ନ ପହଂଚିବାରୁ ସେମାନେ ଉପରିସ୍ଥ ଅଧିକାରୀମାନଙ୍କ ରୋଷର ଶୀକାର ହେଉଛନ୍ତି । ଡ୍ୟୁଟିରେ ବିଳମ୍ବରେ ପହଂଚିବା ଯୋଗୁ କାମରେ ବିଳମ୍ବ ହେଉଛି । ଏହା ଦ୍ୱାରା ପାରାଦୀପ ବନ୍ଦରର ପ୍ରଗତିରେ ମଧ୍ୟ ବ୍ୟାଘାତ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ପାରାଦୀପ ପୋର୍ଟ ଓାର୍କସ୍ ୟୁନିୟନ୍(ଏଚ.ଏମ୍.ଏସ୍.) ର ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ଶତପଥି । ପାରାଦୀପ ବନ୍ଦରର ଗେଟ୍ ନମ୍ବର ୪ ନିକଟରେ ଏକ ଓଭରବ୍ରିଜ୍ ପିଆଇସିଟି ନିର୍ମାଣ କରିବାକୁ ସେ ଦାବି କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗେଟ୍ ନମ୍ବର ୪ ମଧ୍ୟରେ ପାରାଦୀପ ବନ୍ଦରର ଦମକଳ କେନ୍ଦ୍ର ରହିଛି । ଯଦି କୌଣସି ସ୍ଥାନରେ ନିଆଁ ଲାଗେ ଦମକଳ ଗାଡି ଆସିବା ବେଳକୁ ରେଳବାଇର ଗେଟ୍ ବନ୍ଦ ଥିବ ତେବେ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ହୋଇପାରିବ କି? ବୋଲି ଶ୍ରୀ ଶତପଥି ପ୍ରଶ୍ନ କରିଛନ୍ତି । ଏହାବାଦ୍ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ଅନେକ ଶ୍ରମିକ କର୍ମଚାରୀମାନେ କାମ କରୁଛନ୍ତି । ଯଦି କୌଣସି ଦୂର୍ଘଟଣା ଘଟେ ତେବେ ସେଠାରେ ମୁତୟନ ହୋଇଥିବା ଆମ୍ବୁଲାନ୍ସ ଦୂର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାକୁ ସଠିକ୍ ସମୟରେ ପହଂଚାଇ ପାରିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେ ସବୁକୁ ଦେଖି ପିଆଇସିଟି ତୁରନ୍ତ ଏଠାରେ ଓଭରବ୍ରିଜ୍ ନିର୍ମାଣ କରିବାକୁ ଶ୍ରୀ ଶତପଥି ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *