ଗରଦପୁର, ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଗ୍ରାମ୍ୟ ସଂସ୍କୃତି ହିଁ ମାନବ ସଭ୍ୟତାର ପ୍ରଥମ ପରିଚୟ । ଆରଣ୍ୟକ ସଭ୍ୟତାରେ ମଣିଷ ମଧ୍ୟରେ ସଂସ୍କାର ଭାବଧାରା କମ୍ ଥିଲା । କିନ୍ତୁ ଗ୍ରାମ୍ୟ ସଂସ୍କୃତି ହିଁ ସାମାଜିକ ସହାବସ୍ଥାନର ଧାରାକୁ ଉଦଜୀବିତ କରିଥିଲା । ମିଳି ମିଶି ଚଳିବା, ମିଳି ମିଶି ଖାଇବା, ପରଷ୍ପର ପରଷ୍ପରକୁ ସୁରକ୍ଷା ଓ ସାହାଯ୍ୟ କରିବା ,ପରଷ୍ପର ମଧ୍ୟରେ ହିଂସା , ବିଦ୍ୱେଷର ଭାବ ନ ରଖିବା ହିଁ ଗ୍ରାମ୍ୟ ସଂସ୍କୃତି ତଥା ଦୈଦିକ ସଂସ୍କୃତିର ମୂଳ ଆଧାର ଥିଲା । ଆଧୁନିକ ସମାଜର ଶିକ୍ଷିତ ମଣିଷ ଏହି ପରମ୍ପରାକୁ ଯେପରି ଭୁଲିନଯାଏ , ସେଥିପ୍ରତି ସଚେତନ ହେବା ଏକାନ୍ତ ଆବଶ୍ୟକ ବୋଲି ଗରଦପୁର ବ୍ଲକ୍ ବାମରାସ୍ଥିତ ସାଇ ମନ୍ଦିର ପରିସରରେ ଆୟୋଜିତ ସତସଙ୍ଗରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ ସ୍ୱାମୀ ଚିଦାନନ୍ଦ ମହାରାଜ ଏହି ମତ ବ୍ୟକ୍ତ କରିଥିଲେ । ପୂଜ୍ୟ ପୂଜକ ବାବା ବଳିଆଙ୍କ ପରମ ଶିଷ୍ୟ ଶ୍ରୀ ମହାରାଜ ରାବଣ ପୋଡ଼ି ବନ୍ଦ କରାଯାଉ ବୋଲି ମନ୍ତବ୍ୟ ଦେବା ସହିତ ରାବଣ ଏକା ଧାରରେ ଜଣେ ଋଷିପୁତ୍ର,ବିଶିଷ୍ଟ ବ୍ରାହ୍ମଣ,ବୈଦିକ ବିଦ୍ୱାନ,ବୈଜ୍ଞାନକ ,ଯାହାଜ ଚାଳକ,ଯୋଦ୍ଧା,ତପସ୍ୱୀ, କର୍ମକାଣ୍ଡ ପ୍ରବୀଣ ବ୍ୟକ୍ତି ଥିଲା ବୋଲି ସେ କହିଥିଲେ ।
ସେ ଆହୁରୀ କହିଥିଲେ ଯେ ଜାନକୀ ଙ୍କୁ ଅପହରଣ କରି ନେଇଥିଲେ ବି ରାବଣ କୌଣସି ପ୍ରକାର ଅସଦାଚାର କରିନଥିଲା । କିନ୍ତୁ ଆଜିର ମଣିଷ ରାବଣ ପୋଡ଼ି କରିବାରେ ବେସ୍ତ କିନ୍ତୁ ରାମତ୍ୱକୁ ବଜାୟ ରଖି ପାରୁନାହିଁ । ଏ ମାଟି ରାମ ରାଜ୍ୟର ମାଟି । ଆଜି ଏହା ରାମଙ୍କ ଆଦର୍ଶ ଠାରୁ ବହୁ ଦୂରରେ ରହିଛି । ଯୁବ ପିଢ଼ୀ ସଙ୍କଳ୍ପ ବଦ୍ଧ ହୋଇ ଭଲ ମନର ମଣିଷ ହେବାକୁ ଚେଷ୍ଟିତ ହୁଅନ୍ତୁ ବୋଲି ଶ୍ରୀ ମହାରାଜ ପରାମର୍ଶ ଦେଇଥିଲେ । ଏହି ସତସଙ୍ଗ ଉତ୍ସବରେ ସର୍ବଶ୍ରୀ ଉମେଶ ସ୍ୱାଇଁ,ଶରତ ଚନ୍ଦ୍ର ରାଉତ, ସ୍ୱରୂପାନନ୍ଦ ଦାସ,ସତ୍ୟପ୍ରକାଶ ମହାନ୍ତି , ରଜନୀକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସାଇ ମନ୍ଦିର କମିଟି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ସହଶ୍ରାଧିକ ଶ୍ରଦ୍ଧାଳୁ ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର