ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, ଭୁବନେଶ୍ୱରଠାରେ ଯୁଧିଷ୍ଠିର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀମାନଙ୍କୁ ସ୍ଥାୟୀ କରାଯିବା ପାଇଁ ସରକାରଙ୍କୁ ଆବେଦନ କରିବାକୁ ବୈଠକରେ ନିଷ୍ପତି ହୋଇଛି । ଅକ୍ଟୋବର ମାସରେ ସରକାର ଠିକା କର୍ମଚାରୀମାନଙ୍କ ସମ୍ପର୍କରେ ନେଇଥିବା ନିଷ୍ପତି ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମାନଙ୍କ ପାଇଁ ମଧ୍ୟ ଲାଗୁ କରାଯିବାକୁ ଦାବି କରାଯାଇଥିଲା । ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀମାନେ ଓଡ଼ିଶାର ଜନସାଧାରଣଙ୍କୁ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟ ବେଳେ ଜରୁରୀ ସେବା ଯୋଗାଇ ଆସୁଛନ୍ତି । ଏପରିକି ୧୫ ବର୍ଷରୁ ୧୮ ବର୍ଷ ଚାକିରୀ କରି କେତେକ କର୍ମଚାରୀ ଅବସର ନେଇଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯାଇପାରି ନାହିଁ । ଏଣୁ ଏହି ବୈଠକରେ ସରକାର ତାଙ୍କର ଦାବିକୁ ସହୃଦୟତାର ସହ ବିଚାର କରି ତୁରନ୍ତ ସ୍ଥାୟୀ ଚାକିରୀ ଓ ଠିକାକର୍ମଚାରୀଙ୍କ ପାଇଁ ନେଇଥିବା ସମସ୍ତ ସୁବିଧା ଓ ସୁଯୋଗ ଦେବାପାଇଁ ଦାବି କରାଯାଇଥିଲା । ଯଦି ଏହା କରାନଯାଏ, ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର
