କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱରେ ଭିନ୍ନ ଭିନ୍ନ ଦିବସ ପାଳନ ହେଉଥିବା ବେଳେ ‘ପ୍ରାର୍ଥନା ଦିବସ’ ପାଳନ ହେଉନାହିଁ । ଆସନ୍ତୁ ଜାତିଭେଦ ଭୁଲି ଦେଶପାଇଁ ଏକ୍ ହୋଇ ପ୍ରାର୍ଥନା କରିବା ବୋଲି ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି । ଏକ ଜାତି ମାନବ ଜାତି, ଏକ ଧର୍ମ ପ୍ରେମର ଧର୍ମ, ଏକ ଭାଷା ହୃଦୟର ଭାଷା । ଏହାହିଁ ମାନବିକତା । ଆମେ ସମସ୍ତେ ଏକ ପରିବାର । ବର୍ତମାନ ସମାଜର ଅବକ୍ଷୟ ଯୋଗୁଁ ଚାରିଆଡେ ଅଶାନ୍ତିର ଝଡ ସୃଷ୍ଟି ହୋଇଛି । ଅନ୍ୟାୟ, ହିଂସାକାଣ୍ଡ, ଚୋରୀ ବ୍ୟଭିଚାର ନାରୀ ନିର୍ଯ୍ୟାତନା ଇତ୍ୟାଦି ଦୁର୍ନିତୀ ଯୋଗୁଁ ପରିବେଶ ଦୂଷିତ ହୋଇଗଲାଣି । ଆମ ଭିତରୁ ମାନବିକତା ଲୋପ ହେଲାଣି, କୁସଂସ୍କାର ବ୍ୟାପି ଗଲାଣି । ଏଥିରୁ ରକ୍ଷା ପାଇବାକୁ ବ୍ୟକ୍ତିଗତ ହେଉ, କି ସାମାଜିକ ହେଉ, କି ଜାତୀୟ ବା ଆନ୍ତର୍ଜାତୀୟ ହେଉ ସକଳ ସମସ୍ୟାର ସମାଧାନ ସୁତ୍ର ହେଉଛି ଈଶ୍ୱରଙ୍କ ପ୍ରାର୍ଥନା । ଯଦି ଦେଶରେ ଶାନ୍ତି ଓ ସମୃଦ୍ଧି ଆମେ ଚାହୁଁଛେ ତେବେ ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଗ୍ରାମରେ ନିଃସ୍ୱାର୍ଥ ଭାବେ ଆନ୍ତରିକତା ସହ ଶୁଦ୍ଧ ହୃଦୟରେ ପ୍ରାର୍ଥନା କରିବା ଉଚିତ । କଥିତ ଅଛି “ସକଳେ ହୋଇ ଏକମୁଖ, ଡାକିଲେ ନାରାୟଣ ରଖ” । ଶୁଦ୍ଧ ହୃଦୟରେ ସମବେତ ହୋଇ ପ୍ରାର୍ଥନା କଲେ, ସେଥିରୁ ଏକ ଆଧ୍ୟାତ୍ମିକ ମହାଶକ୍ତି ଉତ୍ପନ୍ନ ହୋଇଥାଏ । ସେହି ମହାଶକ୍ତି ସମସ୍ତ ବାୟୁମଣ୍ଡଳରୁ ଦୂଷିତ ବାୟୁକୁ ନଷ୍ଟ କରିଦିଏ । ଏହି ସମବେତ ପ୍ରାର୍ଥନାରୁ ଯେଉଁ ଆଧ୍ୟାତ୍ମିକ ସ୍ପନ୍ଦନ ସୃଷ୍ଟି ହୁଏ, ତାହା ବହୁଦୂର ଦୂରାନ୍ତରରେ ପ୍ରସାରିତ ହୋଇ ସମସ୍ତଙ୍କୁ ଶାନ୍ତି, ଶକ୍ତି, ସୈାହାର୍ଦ୍ଧ୍ୟ ପ୍ରଦାନ କରିଥାଏ ବୋଲି ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି । ବର୍ତମାନ ଦେଶରେ ଘଡିସନ୍ଧି ମୂହୁର୍ତରେ ସମସ୍ତେ ମିଶି ସମବେତ ହୋଇ ସବୁଧର୍ମ, ସବୁ ସମ୍ପ୍ରଦାୟ, ସବୁମତ ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ବିଶ୍ୱ ପ୍ରାର୍ଥନା ଦିବସ ରୂପେ ପାଳନ କରିବା ପଇଁ ନିବେଦନ କରିଛନ୍ତି ଶ୍ରୀମା । ଏହି ଦିନରେ ଏକ ସମୟରେ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରାଯିବା ଉଚିତ୍ । ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ୱାର ଯେକୌଣସି ଧର୍ମାନୁଷ୍ଠାନ, କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ନିଜ ନିଜର ଈଷ୍ଟଦେବଙ୍କ ପାଖରେ ପ୍ରାର୍ଥନା କରିବାକୁ ଶ୍ରୀମା ବିନମ୍ର ନିବେଦନ କରିଛନ୍ତି । ଓଡ଼ିଶା ସମାଚାର