Monday , November 29 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର ଟ୍ୟାଙ୍କ୍ ଟି-୫୫ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମର ଭାବ ଜାଗ୍ରତ କରିବା ପାଇଁ ଟ୍ୟାଙ୍କକୁ ଏଠାକୁ ଅଣାଯାଇଛି । ସେହିପରି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍ସିସି)ର କ୍ୟାଡେଟ୍ ଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ସେନାରେ ଯୋଗଦେବା ପାଇଁ ଏହି ଟ୍ୟାଙ୍କ ସେମାନଙ୍କୁ ଉତ୍ସାହିତ କରିପାରିବ । ପୂର୍ବତନ ସେନା ମୁଖ୍ୟ ତଥା ବର୍ତମାନର ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ଅନୁମୋଦନ କ୍ରମେ ଏହି ଟ୍ୟାଙ୍କକୁ ଏଠାକୁ ଅଣାଯାଇଛି । ଏହି ଟ୍ୟାଙ୍କର ଓଜନ ୩୭ ଟନ୍ ରହିଛି, ଏହାର ଲମ୍ବ ୩୬ ଫୁଟ୍ ୬ ଇଂଚ,  ୧୦ ଫୁଟ୍ ୮ ଇଂଚ ହେଉଛି ଚଉଡା ଓ ୯ ଫୁଟ୍ ହେଉଛି ଏହାର ଉଚ୍ଚତା । ଏହି ଟ୍ୟାଙ୍କ୍ ଟି ପାକ ସେନା ବିରୁଦ୍ଧରେ ଲଢେଇ କରି ଭାରତକୁ ବିଜୟୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ପୁଣେ ଠାରେ ଥିବା ସେନା ବାହିନୀ କାର୍ଯ୍ୟାଳୟରେ ଏହା ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧ ପରେ ରହିଥିଲା । ସେଠାରୁ ଗତ ୧୧ ତାରିଖରେ ଲୋଡ ହୋଇ ଶନିବାର କେନ୍ଦ୍ରାପଡ଼ାରେ ପହଂଚିଥିଲା । ଏହାକୁ ଯୁଦ୍ଧ ଟ୍ରଫି ଭାବେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ପ୍ରଦାନ କରାଯାଇଛି । ଏଥିପାଇଁ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପକ୍ଷରୁ ଏକ ଲକ୍ଷ ୧୪ ହଜାର ଟଙ୍କା ପୈଠ କରାଯାଇଛି । ଏଥିସହ ପରିବହନ ଖର୍ଚ୍ଚ ମଧ୍ୟ କଲେଜ ବହନ କରିଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି ଯେ ଆମ ମହାବିଦ୍ୟାଳୟର କେତେକ ପୂର୍ବତନ ଛାତ୍ର ସେନାବାହିନୀରେ ଅଛନ୍ତି । ଏହି ଟ୍ୟାଙ୍କ୍ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ଆସିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଟ୍ୟାଙ୍କ ଏଠାକୁ ଅଣାଯିବା ପାଇଁଁ କଲେଜ ପକ୍ଷରୁ ବିଧିବଦ୍ଧ ଭାବେ ସେନା ମନ୍ତ୍ରଣାଳୟକୁ ନିବେଦନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଭାବ ବୃଦ୍ଧି କରିବା ସହିତ ସେନାବାହିନୀରେ ଯୋଗଦେବା ପାଇଁ ଏହି ଟ୍ୟାଙ୍କ୍ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଏକ କାର୍ଯ୍ୟକାରିଣୀ ବୈଠକ ଦୁହୁରିଆସ୍ଥିତ ଶିକ୍ଷକ ଭବନରେ ସଭାପତି ସନ୍ତୋଷ କୁମାର …

Leave a Reply

Your email address will not be published. Required fields are marked *