କଟକ ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ବନ୍ଧୁକ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ମାଲଗୋଦାମ ଥାନା ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ଜଣ ବନ୍ଧୁକ ବେପାରୀ । ମାଲଗୋଦାମ ଥାନା ଅଞ୍ଚଳରୁ ଏହି ଦୁଇ ବନ୍ଧୁକ ବେପାରୀ ଜୋବ୍ରା ପାରେଶ୍ବର ର ମୁନା ରାଓ ଏବଂ ବବଲୁ ଓରଫ ସୌଭାଗ୍ୟ ଦାସକୁ ମାଲଗୋଦାମ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କୁ କାବୁ କରି ତଲାସୀ ନେବା ପରେ ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ କରାଯାଇଥିଲା । ପୂଜା ସମୟରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା
ଆଦାୟ କରିବା ପାଇଁ ବନ୍ଧୁକ, ଗୁଳି ଆଦି ଅପରାଧୀ ମାନେ ଖୋଜିଥାନ୍ତି । ଏ ସମ୍ପର୍କରେ ମାଲଗୋଦାମ ଥାନା ଅଧିକାରୀଙ୍କୁ ଖବର ମିଳିବା ପରେ ଥାନା ଅଧିକାରୀ ତୃପ୍ତିରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାଲଗୋଦାମ ଥାନା ଅଞ୍ଚଳରେ ହିଁ ଚଢାଉ କରି ଏହି ଦୁଇ ଅପରାଧୀଙ୍କୁ ଗିରଫ କରିଥିଲା। ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବନ୍ଧୁକ କାରବାର ମାମଲା ରହିଛି । ଚଳିତ ବର୍ଷ କଟକ କମିଶନରେଟ୍ ପୋଲିସକୁ ବନ୍ଧୁକ ଜବତ କ୍ଷେତ୍ରରେ ବଡ଼ ସଫଳତା ମିଳିଛି । ଏବେ ସୁଦ୍ଧା ୫୩ ବନ୍ଧୁକ ସହ ୨୪୦ ଗୁଳି ଏବଂ ବନ୍ଧୁକ ରଖିବା ତଥା କାରବାରରେ ଲିପ୍ତ ମୋଟ୍ ୫୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଜେଲକୁ ପଠାଇ ଦିଆଯାଇଛି ବୋଲି କଟକ ଡ଼ିସିପି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର