କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, ଅମୃତମଣୋହି, ଅଳପୁଆ ଓ ଅଣ୍ଡରା ପ୍ରଭୃତି ଗ୍ରାମପଂଚାୟତର ଏକାଧିକ ଯୁବକ ଭଲିବଲ ଖେଳରେ ପାରଦର୍ଶିତା ଦେଖାଇ ସରକାରୀ ଚାକିରୀରେ ଅବସ୍ଥାପିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ପ୍ରଫୁଲ୍ଲ ବିଶ୍ୱାଳ ଥିଲେ ଅନ୍ୟତମ । ତାଙ୍କର ଅକାଳ ବିୟୋଗରେ ତରଡିପାଳ ଗ୍ରାମ ସମେତ ପଟ୍ଟାମୁଣ୍ଡାଇ ଓ ବରୀ ଅଂଚଳର କ୍ରୀଡାପ୍ରେମୀ ଅତ୍ୟନ୍ତ ଦୁଖିତ ତଥା ମର୍ମାହତ । ତାଙ୍କ ଏକାଦଶାହ ଅବସରରେ ତରଡିପାଳ ଜାତୀୟ କ୍ରୀଡା ସଂସଦ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ନିର୍ମଳ ଚନ୍ଦ୍ର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ଶୋକସଭାରେ ଦୀର୍ଘ ୩୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ପ୍ରଥମେ ଭଲି ଖେଳିବା ଏବଂ ଶେଷ ପର୍ଯ୍ୟନ୍ତ ଚାକିରୀରେ ସହକର୍ମୀ ଥିବା ଜନ୍ମେଜୟ ମଲ୍ଲିକଙ୍କ ସ୍ମୃତିଚାରଣ ବକ୍ତବ୍ୟ ଥିଲା ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟସ୍ପର୍ଶି । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଡଃ. ଗଦାଧର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ନାରାୟଣ ବିଶ୍ୱାଳ, ନୃସିଂହ ଚରଣ ବିଶ୍ୱାଳ, ଅମୃତମଣୋହି ସରପଂଚ କୁଳମଣି ମଳିକ, ପୁରୁଷୋତମ ବିଶ୍ୱାଳ, ସୁଧାଂଶୁ ଶେଖର ଦାସ, ନଳିନୀକାନ୍ତ ବିଶ୍ୱାଳ, ସାମ୍ବାଦିକ ନରେନ୍ଦ୍ର ଧଳ, ଯୁବନେତା ନିରଞ୍ଜନ ବାରିକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜାତୀୟ କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ନୃସିଂହ ଚରଣ ବିଶ୍ୱାଳ, ସୁଶିଲ କୁମାର ବିଶ୍ୱାଳ, ଦେବେନ୍ଦ୍ର ବିଶ୍ୱାଳ, ବସନ୍ତ କୁମାର ବିଶ୍ୱାଳ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର