ଭୁବନ,୧୪/୧୦/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା କଟକଣା ମଧ୍ୟରେ ଚଳିତବର୍ଷ ଭୁବନରେ ଆରମ୍ଭ ହୋଇଛି ଦଶହରା ପର୍ବ । ଗତ ସୋମବାର ବିଭିନ୍ନ ମଣ୍ଡପରେ ମୃଣ୍ମୟ ଦେବୀଙ୍କ ଷଷ୍ଠୀପୂଜା (ଚକ୍ଷୁଦାନ)କରାଯାଇଛି । ବିନା ଡାକବାଜି ଯନ୍ତ୍ରରେ ମଣ୍ଡପରେ ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ୫/୭ ଜଣ କର୍ମକର୍ତା ଙ୍କ ଉପସ୍ଥିତିରେ ମା ଙ୍କ ପୂଜା ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ମେଢ ପାଖରେ ପୋଲିସ ମୁତୟନ ରହିଛନ୍ତି । ଶ୍ରଦ୍ଧାଳୁ ଭକ୍ତମାନେ ପୂଜା କରିବା ପାଇଁ ଆଜି ଗହଳି କରିଥିଲେ । ସର୍ବପୁରାତନ ପୂଜା ପ୍ରତିଷ୍ଠାନ ବନଦୁର୍ଗା ସମେତ ଗୁଜୁରୀହାଟ ଦେଶଦୁର୍ଗା, କ୍ଲାସିକ କ୍ଲବ, ହାଟୁଆବଣିକ ସଂଘ, ପୋଥାଳ ସାହି ଦୁର୍ଗା ,ବାଜିଛକ, ଦୁର୍ଗାବଜାର ,ନୂଆଭୁବନ ଦୁର୍ଗା ମେଢ,ବିଜ୍ଞାପିତ ଅଂଚଳ ପରିଷଦ ଓ ସେନ ସାହି ହରପାର୍ବତୀ ମେଢ ରେ ଆଜି ନିରାଡମ୍ବର ଭାବେ ପବିତ୍ର ମହାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ଆସନ୍ତାକାଲି ମହାନବମୀ ପାଳନ କରାଯିବ । କୋଭିଡ କଟକଣା ଯୋଗୁ ଚଳିତବର୍ଷ ଭସାଣିଯାତ୍ରା ଓ ଐତିହାସିକ,ପାରମ୍ପରିକ ବଳଦ ଯାତ୍ରା ହେବ ନାହିଁ ଶାନ୍ତିକମିଟି ବୈଠକରେ ନିଷ୍ପତି ହୋଇଛି ।
ବନଦୁର୍ଗା – ସ୍ୱାଧିନତାର ଦୁଇବର୍ଷ ପୂର୍ବରୁ ଅର୍ଥାତ୍ ୧୯୪୫ ମସିହାରେ ସର୍ବପ୍ରଥମେ ଦୁର୍ଗାଛକରେ ସାହିବାସିନ୍ଦା ଙ୍କ ସହଯୋଗରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ୧୨ ବର୍ଷ ପର୍ଯ୍ୟନ୍ତ ପୂଜା ହେବା ପରେ ସ୍ୱର୍ଗତ ବନବିହାରୀ ସାହୁ ଙ୍କ ଉଦ୍ୟମରେ ଏହା ସାର୍ବଜନିନ ପୂଜାଭାବେ ଖ୍ୟାତି ଅର୍ଜନ କରିଥିଲା । ଚଳିତବର୍ଷ ୭୭ ତମ ବାର୍ଷିକ ଦୁର୍ଗାପୂଜା ପାଳିତ ହେଉଛି ।
ଗୁଜୁରୀହାଟ ଦେଶ ଦୁର୍ଗା – ୧୯୬୮ ମସିହାରେ ଗୁଜୁରୀହାଟ ବ୍ୟବସାୟୀ ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ୫୪ ତମ ବାର୍ଷିକ ଦୁର୍ଗାପୂଜା ପାଳନ ହେଉଛି । ବର୍ତମାନ ଏହା ଦେଶଦୁର୍ଗାର ମାନ୍ୟତା ପାଇଛି ।
ସେନସାହି ହରପାର୍ବତୀ – ୧୯୯୭ ମସିହାରେ ସେନସାହି ବାସିନ୍ଦା ଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ହରପାର୍ବତୀ ପୂଜା ଚଳିତବର୍ଷ ୨୫ ବର୍ଷରେ ପଦାର୍ପଣ କରିଛି ।
ଗଡଗଁପୁର-୨୦୦୧ ମସିହାରେ ଗଡଗଁପୁର ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ୨୧ ବର୍ଷରେ ପଦାର୍ପଣ କରିଛି ।
କ୍ଲାସିକ କ୍ଲବ- ୨୦୦୨ ମସିହାରେ ଡାକବଙ୍ଗଳା ସମ୍ମୁଖରେ କ୍ଲାସିକ କ୍ଲବ ସଦସ୍ୟଙ୍କ ଉଦ୍ୟମ ଓଲତାବିଲ ଅଂଚଳବାସୀ ଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ୨୦ ବର୍ଷରେ ପଦାର୍ପଣ କରିଛି ।
ପୋଥାଳ ସାହି- ୨୦୧୧ ମସିହାରେ ପୋଥାଳ ସାହି ବାସିନ୍ଦା ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ୧୧ ବର୍ଷରେ ପହଁଚିଛି ।
ହାଟୁଆ ବଣିକ ସଂଘ- ୨୦୧୨ ମସିହାରେ ହାଟ ବ୍ୟବସାୟୀ ଙ୍କ ଦ୍ୱାରା ସିନେମା ହଲ ସମ୍ମୁଖରେ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ୧୦ ମ ବର୍ଷରେ ପହଁଚିଛି ।
ବିଜ୍ଞାପିତ ଅଂଚଳ ପରିଷଦ-୧୯୯୮ ମସିହାରେ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ହରପାର୍ବତୀ ପୂଜା କମିଟି ତରଫରୁ ଆରମ୍ଭ ହୋଇଥିବା ପୂଜା ଚଳିତବର୍ଷ ୨୫ ବର୍ଷରେ ପଦାର୍ପଣ କରିଛି ।
ନୂଆଭୁବନ- ୨୦୦୧ ମସିହାରେ ନୂଆଭୁବନରେ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ୨୧ ବର୍ଷରେ ପହଁଚିଛି ।
ବାଜିଛକ- ୨୦୦୧ ମସିହାରେ ବାଜିଛକ ଠାରେ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ୨୧ ବର୍ଷରେ ପଦାର୍ପଣ କରିଛି । ଓଡ଼ିଶା ସମାଚାର