କେନ୍ଦୁଝର, ୧୪/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ରବିବାର ଦିନ ସଦର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ହୋଇଥିଲା । ଘଟଣାର ତିନିଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି । ସମସ୍ତ ଅଭିଯୁକ୍ତ କେନ୍ଦୁଝର ଜିଲ୍ଲାର । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ପ୍ରତାପ ରାଉତଙ୍କ ସହ ମନମୋହନ ଦାସ, ବିଦ୍ୟାଧର ପରିଡା, ଶରତ ଜେନା ଓ ଶିଙ୍କୁଲ ଶେଖ । ଏମାନେ ନମୋଃ ସେନା ନାମକ ଏକ ସଂଗଠନର ସଦସ୍ୟ । ଏମାନେ ବିଧାୟକଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ଆକ୍ରମଣ ବ୍ୟକ୍ତିଗତ ଶତ୍ରୁତା ଓ ପଇସା ଦେଣ ନେଣକୁ ନେଇ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣାରେ କେନ୍ଦୁଝର ପୁଲିସ ଏପର୍ୟ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୫ ଜଣଙ୍କୁ ଗିରଫ କରିସାରିଛି। ପୁଲିସ ୨ଟି ଅଫୁଟା ବୋମା, ୪ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି। ଅଫୁଟା ବୋମାକୁ ପୁଲିସ ନିଷ୍କ୍ରିୟ କରିଦେଥିବା ଏସପି ମିତ୍ରଭାନୁ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଏହି ଆକ୍ରମଣ ପଛରେ କୌଣସି ରାଜନୈତିକ ସମ୍ପର୍କ ନାହିଁ । ଏହା ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଘଟଣାକୁ ନେଇ ଆକ୍ରମଣ କରଥିଲେ ବୋଲି ଅଭିଯୁକ୍ତମାନେ ପୁଲିସ ସମ୍ମୁଖରେ ପ୍ରକାଶ କରିଥିବାରେ ସେ କହିଛନ୍ତି । ଗତ ରବିବାର ଦିନ ପ୍ରାୟ ୧୨ଟା ବେଳେ ଶ୍ରୀ ମାଝୀ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି କାର୍ୟ୍ୟାଳୟରେ ଆୟୋଜିତ ଭାରତୀୟ ମଜଦୁର ସଂଘର ବୈଠକରେ ଯୋଗଦେଇ ନିଜ ଫର୍ଚୁନର କାର୍ରେ ଫେରୁଥିଲେ। ମଣ୍ଡୁଆ ଯୋଗାଣ ବିଭାଗ ଗୋଦାମ ରାସ୍ତା ନିକଟ ଜାତୀୟ ରାଜପଥ ପାଖରେ ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକ୍ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ।ଗାଡ଼ିରେ ଥିବା ବିଧାୟକ, ପିଏସ୍ଓ, ପିଏ ଓ ଡ୍ରାଇଭର ଓହ୍ଲାଇଯିବା ପରେ ଦୁର୍ବୃତ୍ତମାନେ ପୁଣି ଆଉ ଏକ ବୋମା ଗାଡ଼ି ଉପରକୁ ଫିଙ୍ଗିଥିଲେ। ବୋମାମାଡ଼ କରିବା ପରେ ମୋହନଙ୍କ ପିଏସ୍ ଓ ଦୁର୍ବୃତ୍ତଙ୍କ ପିଛା କରିଥିଲେ। କିନ୍ତୁ ଦୁଇ ଦୁର୍ବୃତ୍ତ ନରଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ଏନେଇ ମୋହନ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଏଭଳି ଷଡଯନ୍ତ୍ର କରିଥାଇ ପାରନ୍ତି ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଓଡ଼ିଶା ସମାଚାର