ଦୁର୍ଗାପୂଜା (କବି )—-ସରୋଜ ସାହୁ
ଯୁଗେ ଯୁଗେ ଦୁଷ୍ଟ କରିବାକୁ ନାଶ
ମାଆ ଆସିଥାନ୍ତି ଧାଇଁ
ଅବତାର ନେଇ ଜନମ ଲଭଇ
ଭକତ ସୁରକ୍ଷା ପାଇଁ l
ଦଶଭୁଜା ବେଶେ ମହିଁସା ବିନାଶେ
ଆସିଥିଲେ ମର୍ତ୍ୟ ପୁରେ
ଜଗତ ଜନନୀ ଦୁର୍ଗତି ନାଶିନୀ
ପୂଜା ଆସେ ଦଶହରାରେ l
ବାର ମାସେ ତେର ପରବ ଆମର
ଆସିଥାଏ ଏ ସଂସାରେ
ହସି ଉଠେ ପୁର ପଲ୍ଲୀ ଓ ସହର
ମନରେ ଆନନ୍ଦ ଭରେ l
କି ସୁନ୍ଦର ଶୋଭା ସତେ ମନଲୋଭା
ଦର୍ଶନେ ଲାଗେ ଆନନ୍ଦ
ମାଆ ଆଗମନେ ଏ ସାରା ଭୁବନେ
ଖେଳେ ଖୁସିର ସମ୍ବାଦ l
ଆଶ୍ଵିନୀର ମାସେ ଏ ପରଵ ଆସେ
ଆନନ୍ଦେ ନାଚଇ ଚାଷୀ
ମଙ୍ଗଳ ନିମିତ୍ତ ଦୁଷ୍ଟଜନ ହିତ
ଧରିଥାନ୍ତି ହସ୍ତେ ଅସୀ l
ସିଂହ ବାହିନୀ ମାଆ ଜଗତ କଲ୍ୟାଣୀ
ମହିମା ତାଙ୍କ ଅପାର
ପଣା ହାଣ୍ଡି ସବୁ ପୂଜା କରାଯାଏ
ଦୁଃଖ ମା କରିବେ ଦୂର l
ଶାରଦୀୟ ଦୁର୍ଗା ପୂଜା ଆସିଅଛି
ଚଉଦିଗେ ପୂଜାପାଠ
ଅସ୍ତ୍ର ପୂଜା ହୁଏ ଏହି ପର୍ବ ବେଳେ
କଂପୁଅଛି ଦୁର୍ଗା ପୀଠ l
ସୁନ୍ଦର ତୋରଣ ମନ ନିଏ କିଣି
ଆଲୋକ ଭଳି କି ଭଳି
ପ୍ରଭୁ ରାମଚନ୍ଦ୍ର ଦୁର୍ଗାପୂଜା କରି
ଦଶାନନ ଦେଲେ ମାରି l
କିଛି ସ୍ଥାନେ ହୁଏ ରାବଣ ପୋଡିର
ସୁନ୍ଦର ସେ ଆୟୋଜନ
ପୁରାଣର ସେହି କଥାବସ୍ତୁ ଟିକୁ
ସ୍ମରନ୍ତି ଭକତ ଜନ l
ବିଘ୍ନବିନାଶିନୀ ଅଭୟ ଦାଇନୀ
ସଭିଙ୍କ ମଙ୍ଗଳ ପାଇଁ
ବରଷକେ ଥରେ ଏ ମର୍ତ୍ୟ ଭୁବନେ
ଉଭା ହୋଇଛନ୍ତି ତହିଁ l
ଘେନ ମା ପ୍ରଣତି କରୁଛି ଵିନତୀ
ସମର୍ପିତ ତୋ ପୟରେ
ଶୁଭାଆଶିଷ ମିଳୁ ଶାନ୍ତି ବଞ୍ଚି ରହୁ
ତୁମ ଏହି ସଂସାରରେ l
ଶକ୍ତିମୟୀ ମାଆ ଅଟ ଦୟାମୟୀ
କରୁଣା ତୁମ ଅପାର
କୃପା ବାରି ମାଆ ଢାଳି ଦିଅ ବାରେ
ଦୁଃଖ ଶୋକ ହେଉ ଦୂର l
-0-
ପାଟକୁରା ଥାନା ଅଧିକାରୀ
ଫୋନ ନମ୍ବର -9439161426