ପାଟକୁରା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ସମ୍ପ୍ରତି ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଅଧିକ ବର୍ଷା ଓ ପବନ ହେଲେ ଏହା ଧାନ ଫସଲକୁ ପ୍ରଭାପିତ କରିବ ବୋଲି ବହୁ ବରିଷ୍ଠ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ପାଟକୁରା ଅଂଚଳରେ ବର୍ତମାନ ଉଚ ଓ ମଧ୍ୟମ କିଶମର କ୍ଷେତରେ କେତେକ କିଶମର ଧାନ ବାହାରିବା ଆରମ୍ଭ କରିଥିବାବେଳେ ଅନେକ କ୍ଷେତରେ ଅଧିକ ଅମଳକ୍ଷମ ଧାନ କିଶମର ଗଛରୁ ଥୋଡ଼ ଧରୁଛି । ଧାନ ଗକ୍ତରେ ଥୋଡ଼ ଥିବା ଓ ବାହାରିବା ସମୟରେ ଯଦି ପ୍ରବଳ ବର୍ଷା ଓ ପବନ ହୁଏ ତେବେ ଏସବୁ କ୍ଷେତରେ ଧାନ ଫସଲ ଅଧିକ ପରିମାଣରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅନ୍ୟ ପକ୍ଷରେ ଅଧିକ ବର୍ଷା ଓ ପବନ ହେଲେ ସରକାରଙ୍କ ଅଧିକ ଅମଳକ୍ଷମ କିଶମ ଧାନ ଅପେକ୍ଷା ଦେଶି କିଶମ ଧାନ ଗଛ ଗୁଡ଼ିକ ଅଧିକ ପରିମଣରେ ପ୍ରଭାବିତ ହେବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି । ସରକାରୀ ଧାନ ଠାରୁ ଦେଶି ଧାନ ଗୁଡ଼ିକ ଅଧିକ ଉଚା ହୋଇଥିବାରୁ ବର୍ଷା ଓ ପବନ ହେଲେ ତାହା ପାଣି ଓ ମାଟିରେ ଶୋଇ ଯିବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଏହି ଅଂଚଳରେ କରାଯାଇଥିବା ବିଅଳି କିଶମ ପାଚିଲା ଧାନ ସମ୍ପୂର୍ଣ୍ଣ ଅମଳ କରିନଥିବାବେଳେ ଅଳ୍ପ କେତେକ ଜମିରେ ପାଚିଲା ଧାନ ରହିଛି । ଯଦି ଅଧିକ ବର୍ଷା ଓ ପବନ ଲାଗିରୁହେ ତେବେ ଏହିସବୁ ଜମିରୁ ଧାନ ଫସଲ କ୍ଷତି ହେବାର ଚାଷୀମାନଙ୍କ ମଧ୍ୟରେ ଆଶଙ୍କର ଉପୁଜିଛି । ଓଡ଼ିଶା ସମାଚାର