ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ମାଆ ଜଗତକଲ୍ୟାଣି ଜଗତଜନନୀ ଦେବୀ ଦୂର୍ଗାଙ୍କ ପୂଜା ଉତ୍ସବ ବନ୍ଦର ସହର ପାରାଦୀପ ରେ ଆରମ୍ଭ ହୋଇଛି । ସୋମବାର ଦିନ ରାତିରେ ଦେବୀଙ୍କର ବିଲ୍ୱ ବରଣୀ ହୋଇଥିଲା । ଏହା ପରେ ଆରମ୍ଭ ହୋଇଛି ଦେବୀଙ୍କର ଯଥାରିତୀ ଓ ନୀତି ଅନୁଯାୟୀ ପୂଜା । ବଡପଡିଆ ଠାରେ ଥିବା ପାରାଦୀପର ସର୍ବପୂରାତନ ଅନୁଷ୍ଠାହ ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ସରକାରଙ୍କ ଆଦର୍ଶ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ପୂଜା ଆରମ୍ଭ ହୋଇଛି । ବଣିକ ସଂଘ ର ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ପ୍ରତ୍ୟସ୍ତତ୍ୱାବଧାନରେ ମାଆଙ୍କର ପୂଜାନୀତି ର ଆୟୋଜନ କରାଯାଇଛି । ମୂର୍ତି ର ଉଚ୍ଚତା ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ତିଆରି ହୋଇଛି । ପୂଜା ମଣ୍ଡପ ମଧ୍ୟରେ ସିମୀତ ସଂଖ୍ୟକ ପୂଜକ ଓ ସେବାୟତ ରହିଛନ୍ତି । କୋଭିଡ୍ ଗାଇଡଲାଇନ୍ ଯେପରି ଉଲ୍ଲଂଘନ ନହୁଏ ସେଥି ପ୍ରତି କଡା ନଜର ରଖାଯାଇଛି । ମଙ୍ଗଳବାର ସକାଳେ ଘଟକଳସ ନିମନ୍ତେ ହାତଗଣତି ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ସମଗ୍ର ବିଶ୍ୱରେ ମହାମାରୀ କରୋନାର ସ୍ଥିତିକୁ ଦେଖି ଯେଉଁ ଗାଇଡଲାଇନ୍ ତିଆରି ହୋଇଛି ତାହାକୁ ଆମେ ପାଳନ କରୁଛୁ ତାହା ସହିତ ଆମେ ପରମ୍ପରା ବଜାୟ ରଖିବା ପାଇଁ ଦେବୀ ଦୂର୍ଗାଙ୍କ ପୂଜା କରୁଛୁ ବୋଲି ବଣିକ ସଂଘର ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ବଡପଡିଆ ସମେତ ମଧୁବନ ଜଗନ୍ନାଥ କଲୋନୀର ଦିବ୍ୟଜୋତି କ୍ଲବ ପକ୍ଷରୁ ମଧ୍ୟ ମାଆଙ୍କର ପୂଜାର ଆୟୋଜନ କରାଯାଇଛି । ସଂପୂର୍ଣ୍ଣ ବଙ୍ଗୀୟ ପରମ୍ପରା ଅନୁଯାୟୀ ଏଠାରେ ପୂଜା ହେଉଥିବା କ୍ଲବ୍ ର ସମ୍ପାଦକ ଗଗନ ଷଡଙ୍ଗୀ କହିଛନ୍ତି । ଜଗନ୍ନାଥ କଲୋନୀର ବାସିନ୍ଦାମାନେ ଏହି ପୂଜାରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଓଡ଼ିଶା ସମାଚାର