କଳାହାଣ୍ଡି ,୧୩/୧୦/୨୦୨୧(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲା ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଯାଇଛି । କଳାହାଣ୍ଡି ଜିଲା ର ଅଧିଷ୍ଠାତ୍ରୀ ଦେବୀ ଭାବରେ ଜଗତଜନନୀ ମାଁ ମାଣିକେଶ୍ୱରୀ ରାଜପ୍ରାସାଦ ପାଶ୍ୱର୍ରେ ପ୍ରତିଷ୍ଠିତ ମନ୍ଦିରରେ ପୂଜା ପାଇଆସୁଛନ୍ତି । କୃଷ୍ଣ ପକ୍ଷ ଅଷ୍ଟମୀ ପୂଜା ପରେ ମଧ୍ୟରାତ୍ରରେ ସନ୍ଧିପୂଜା ହୋଇ ମାଆଙ୍କର ଛତର ଯାତ୍ରା ପର୍ବ ଆରମ୍ଭ ହୋଇଥାଏ ।
ଭବାନୀପାଟଣା ଉପକଣ୍ଠ ରେ ଥିବା ଜେନାଖାଲ ପାଖକୁ ମାଆଙ୍କର ଛତର ନିର୍ଦ୍ଧାରିତ ସେବକ ମାନଙ୍କ ଦ୍ୱାରା ନିଆଯାଇଥାଏ । ସେଠାରେ ପୂଜା ଅର୍ଚ୍ଚନା ଓ ଭୋଗ ଦେବାପରେ ଗୁମୁରା ବାଜା ରୋଷଣୀ ମାଧ୍ୟମରେ ମାଆଙ୍କର ଛତର ବିଜୟ ଯାତ୍ରା ହୋଇଥାଏ । କୁହାଯାଏ ମାଆ ପ୍ରତିବର୍ଷ ଥରେ ଭକ୍ତ ମାନଙ୍କୁ ଆଶୀର୍ବାଦ କରିବା ପାଇଁ ମନ୍ଦିର ରୁ ବାହାରକୁ ଆସିଥାନ୍ତି ଏବଂ ଜେନାଖାଲ ଠାରେ ପରମ୍ପରା ଅନୁଯାୟୀ ଭୋଗ ହେବା ପରେ ସମସ୍ତଙ୍କୁ ଦର୍ଶନ ଦେଇ ପୁଣି ମନ୍ଦିରକୁ ଫେରିଥାନ୍ତି । ମାଣିକେଶ୍ୱରୀ ମାଆ ଙ୍କ ମହିମା ଅନେକ ଏବଂ ଅନେକ ପରମ୍ପରା ମଧ୍ୟ ରହିଛି । ମାଣିକେଶ୍ୱରୀ ମନ୍ଦିରରେ ଛଡାଯାଇଥିବା ପାରା ଉଡିଯାଇ ପାଂଚ କିଲୋମିଟର ଦୂରରେ ଅବସ୍ଥିତ ଜେନାଖାଲ ଠାରୁ ଜନଗହଲି ଗୁମୁରା ବାଜା ରୋଷଣି ମଧ୍ୟରେ ଛତର ଉପରେ ବସି ମନ୍ଦିରକୁ ଫେରିବା ନିଶ୍ଚିତ ଭାବେ ଅଲୌକିକ ଘଟଣା ।
ଚଲିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲେ ହେଁ ଭକ୍ତମାନେ ଆବେଗର ସହ ମାଆଙ୍କର ଛତର ଯାତ୍ରାକୁ ପାଳନ କରିବାର ଦେଖାଯାଇଥିଲା । ଏପରିକି ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ରାସ୍ତା ସାରା ବଳି ଦିଆଯାଇଥିବାର ଦୃଶ୍ୟ ମଧ୍ୟ ଦେଖôବାକୁ ମିଳିଥିଲା। କଡା ସୁରକ୍ଷା ବଳୟ ମଧ୍ୟରେ ମାଣିକେଶ୍ବରୀ ଦେବୀଙ୍କ ଛତର ମନ୍ଦିରକୁ ପ୍ରତ୍ୟବର୍ତନ କଲାପରେ ମନ୍ଦିର ରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଛତର ଗ୍ରହଣ କରି ପୂଜାର୍ଚ୍ଚନା କରି ମନ୍ଦିରକୁ ପାଛୋଟି ନେଇଥିଲେ । ଜନସାଧାରଣଙ୍କ ଭକ୍ତି ଓ ଆବେଗ ଆଗରେ ସମସ୍ତ କଟକଣା ହାର ମାନିଯାଇଥିବା ଦେଖାଯାଇଥଲା। ଓଡିଶା ସମାଚାର