ପାରାଦୀପ,୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଇଫକୋ ସାରକାରଖାନାର ସର୍ବଭାରତୀୟ ଅଧ୍ୟକ୍ଷ ସର୍ଦ୍ଧାର ବଲବିନ୍ଦର ସିଂ ନକାଇଙ୍କର ଅକାଳ ବିୟୋଗ ଘଟିଛି । ୮୬ ବର୍ଷୀୟ ସ୍ୱର୍ଗତ ନକାଇ ୨୦୧୪ ମସିହାରେ ଇଫକୋର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ । ଭାରତର ସର୍ବଶ୍ରେଷ୍ଠ ସମବାୟବିତ୍ ଭାବେ ପରିଚିତ ସ୍ୱର୍ଗତ ନକାଇ ମୃତ୍ୟୁ ପର୍ଯ୍ୟନ୍ତ ଇଫକୋର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସୋମବାର ଦିନ ରାତିରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପାଇବା ପରେ ମଙ୍ଗଳବାର ଦିନ ପାରାଦୀପ ଇଫକୋ ୟୁନିଟ୍ ପରିସରରେ ମହାପ୍ରବନ୍ଧକ ଏସ୍.ଡି.ଶର୍ମାଙ୍କ ପୌରହିତ୍ୟରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା । ବରିଷ୍ଠ ମହାପ୍ରବନ୍ଧକ ସୁରେଶ କୁମାର ଗୋୟଲ, ସଂଯୁକ୍ତ ମହାପ୍ରବନ୍ଧକ ଅଭୟ କୁମାର ମଲ୍ଲ , କର୍ମଚାରୀ ସଂଘର ସଭାପତି ତୁଷାର ରଂଜନ ସାମନ୍ତରାୟ, ସାଧାରଣ ସଂପାଦକ ରାକେଶ କୁମାର ଓଝା, ଇଫକୋ ଅଫିସର୍ସ ଆସୋସିଏସନ୍ ର ସଭାପତି ଦେବାଶିଷ ମହାନ୍ତି, ସାଧାରଣ ସଂପାଦକ ସୁବାଶିଷ ମିଶ୍ରଙ୍କ ସମେତ ଇଫକୋର ସମସ୍ତ ପଦାଧିକାରୀ ସ୍ୱର୍ଗତ ନକାଇଙ୍କ ଫଟୋଚିତ୍ରରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଇଫକୋ ଜଣେ ଦରଦିମଣିଷ ତଥା କୃଷକମାନଙ୍କ ବନ୍ଧୁଙ୍କୁ ହରାଇଲା ବୋଲି ଇଫକୋର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା କହିଛନ୍ତି । ତାଙ୍କ ବିୟୋଗରେ ଇଫକୋ ପରିସରରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର