ବାଲେଶ୍ୱର, ୧୨/୧୦/୨୦୨୧(ଓଡ଼ିଶା ସମାଚାର)- ମାସିକ ଓଡ଼ିଆ ମହିଳା ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ପରିବାର ପକ୍ଷରୁ ଶାରଦୀୟ ସାରସ୍ୱତ ସମାରୋହ ସ୍ଥାନୀୟ ହୋଟେଲ ସଭାଗୃହରେ ମମତା ମହାପାତ୍ରଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀମାନଙ୍କର କଳା, ସାହିତ୍ୟ, ବିଜ୍ଞାନ, ସଂସ୍କୃତି ଓ ସୁରକ୍ଷା କ୍ଷେତ୍ରରେ ଅବଦାନ ଉପରେ ଆଲୋକପାତ କରିଥିଲେ । ‘ରେବତୀ’ ଗଳ୍ପ ଫକୀରମୋହନ ନାରୀଶିକ୍ଷାର ପ୍ରସାର ପାଇଁ ସ୍ୱର ଉତୋଳନ ସହ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ତାଙ୍କର ସମାଜ ସଂସ୍କାର ଓ ନାରୀଜାଗରଣ ସୃଷ୍ଟିର ଦୃଷ୍ଟାନ୍ତ ଦେଇ ଲେଖିକାମାନେ ନିଜ କଲମ ମୁନକୁ ଶକ୍ତିଶାଳୀ କରିବାକୁ ଶ୍ରୀମତୀ ମୁର୍ମୁ ଆହ୍ୱାନ ଦେଇଥିଲେ ।
ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ମଣୀନ୍ଦ୍ର କୁମାର ମେହେର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୃଥିବୀରେ ଆଣବିକ ଯୁଦ୍ଧ ନୁହେଁ ବରଂ ଶାନ୍ତି ସୃଷ୍ଟି ଦିଗରେ ଉପଯୋଗୀ ସାହିତ୍ୟ ରଚନା ପାଇଁ ବିଶ୍ୱବ୍ୟାପୀ ସାହିତି୍ୟକମାନଙ୍କୁ ଆହ୍ୱାନ ଦେଇଥିଲେ । ନାରୀଶକ୍ତିକୁ ପୃଥିବୀର ଶ୍ରେଷ୍ଠଶକ୍ତି ଭାବେ ସେ ପ୍ରତିପାଦନ କରିଥିଲେ । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଓ ସୁସାହିତି୍ୟକା ଦୀପ୍ତି ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁଗଶ୍ରୀ ଯୁଗନାରୀ ପତ୍ରିକା ପରିବାରର ଏହି ନିଆରା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସାହିତ୍ୟ ମାନବ ଜୀବନ ଓ ଏକ ସୁନ୍ଦର ପୃଥିବୀର ପ୍ରତିଛବି ହୋଇଥିବା ବେଳେ ଏହା ସମସ୍ତ ଦୁର୍ଗତିର ପ୍ରତିହତ ପାଇଁ ଅମୋଘ ଅସ୍ତ୍ର ଅଟେ ।
ଏହି ଅବସରରେ ପତ୍ରିକାର ଅକ୍ଟୋବର ଶାରଦୀୟ ସଂଖ୍ୟା-୨୦୨୧ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥି ସହିତ ଦିବଂଗତ ମନୋରମା ମହାପାତ୍ର ଓ ଅଦ୍ୱୈତ ଚରଣ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କମଳାକାନ୍ତ ଦାଶ ମଂଚ ଆହ୍ୱାନ କରିଥିବା ବେଳେ ପଣ୍ଡିତ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । କଲ୍ୟାଣୀ ନନ୍ଦ ମା’ଦୁର୍ଗାଙ୍କ ଆବାହନୀ ସଂଗୀତ ଗାନ କରିଥିଲେ । ସୁଶ୍ରୀ ଗୀତାଞ୍ଜଳି ସିଂହ ଏହି ସଂଖ୍ୟାର ପ୍ରଚ୍ଛଦପଟ ଓ ସାକ୍ଷାତ୍କାରରେ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆଲୋକପାତ କରିଥିଲେ । ଅଞ୍ଜଳି ପଣ୍ଡା ଓ ଡ. ବିଜୟ ମହାନ୍ତି କବିତା ପାଠ କରିଥିଲେ । ବାଳକ ସାଇ କ୍ରୀଷ୍ଣା ସାହୁ ମା’ଦୁର୍ଗାଙ୍କ ଉପରେ ମନଛୁଆଁ ଭଜନ ଗାନ କରିଥିଲେ । ବିଭିନ୍ନ ମହିଳା ଅନୁଷ୍ଠାନ ପକ୍ଷରୁ ମୁଖ୍ୟଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯଇଥିଲା । ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିବା ବେଳେ ମୀନତି କର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନାରେ ସ୍ମୃତି ଦାସ, କ୍ରୀଷ୍ଣା ସାହା, ଶୋଭନା ମହାନ୍ତି, କମଳା ବିନ୍ଧାଣୀ, ସୁକାନ୍ତି ଦେବଗୋସ୍ୱାମୀ, ବସନ୍ତ ପ୍ରଧାନ, ଚକ୍ରଧର ମହାନ୍ତି, ସରସ୍ୱତୀ ପଣ୍ଡା, ଜ୍ୟୋସ୍ନା ପାଣି, ସତ୍ୟଭାମା ମୁଦୁଲି ଓ ସଂହିତା ଦାସ ସହାୟତା କରିଥିଲେ । ଓଡ଼ିଶା ସମାଚାର