ପାତ୍ରପୁର,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ପାତ୍ରପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଂଚାୟତ ଠଣା ଗ୍ରାମର ଜଣେ ଗର୍ଭବତୀ ଦୋଳାରେ ବୁହା ହୋଇ ଡାକ୍ତରଖାନା ଯାଇଥିବା ଜଣାଯାଇଛି । ଗ୍ରାମର ଭାସ୍କର କାର୍ଯୀଙ୍କ ପତ୍ନୀ ପ୍ରମିଳ କାର୍ଯ୍ୟିଙ୍କ ଗର୍ଭ ବେଦନା ହୋଇଥିଲା । ଫଳରେ ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ବାଣିଆଖା ପର୍ଯ୍ୟନ୍ତ ଜଙ୍ଗଲ ଘାଟି ରାସ୍ତାରେ ଦୋଳା(ସାଙ୍ଗ ଭାର)ଯୋଗେ ବୋହି ଆଣି ଥିଲେ । ସେଠାରୁ ଏକ ଅଟୋ ଭଡା କରି ଜରଡା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଗ୍ରାମଟି ପାହାଡ଼ ଉପରେ ରହିଥିବା ବେଳେ ଗ୍ରାମକୁ ସୁରଙ୍ଗୀ ମନ୍ଦରଡ ରାସ୍ତାର ଷୋଳଭାଗ ପେଣ୍ଠ ନିକଟରୁ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ସେହି ରାସ୍ତାରେ ଡାକ୍ତରଖାନା ପ୍ରାୟ କୋଡିଏ କିଲୋମିଟର ଦୂରତା ହେଉଛି । ତେବେ ଗ୍ରାମ ଠାରୁ ଜରଡା ତିନି କିଲୋମିଟର ଦୂର ହୋଇଥିବା ବେଳେ ନିର୍ମାଣ ଚାଲିଥିବା ରାସ୍ତା ଜରଡା କୁ ସଂଯୋଗ ହେବା ଲକ୍ଷ ରହିଛି । ଗ୍ରାମର ଦୁଇ ଉତ୍ସାହୀ ଯୁବକ ଯୁକ୍ତ ତିନି ଛାତ୍ର ଦିନବନ୍ଧୁ ଡାକୁଆ ଏବଂ ଦଶମ ଶ୍ରେଣୀରେ ପଢ଼ୁଥିବା ମନୋରଞ୍ଜନ ବଡମୁଣ୍ଡି ତାଙ୍କୁ ପାହାଡ଼ ତଳ ତିନିକିଲୋମିଟର ବୋହି ଆଣିଥିଲେ । ଓଡ଼ିଶା ସମାଚାର