ଭୁବନେଶ୍ୱର,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ୪ ବର୍ଷଧରି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ନିୟମିତ କର୍ମଚାରୀଙ୍କ ଭଳି ସମାନ କାମକୁ ସମାନ ଦରମା ସହ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ସମ୍ପୂର୍ଣ୍ଣ ଉଛେଦ କରିବା ପାଇଁ ଦାବି କରିଆସୁଥିଲେ। ଏଥିପାଇଁ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିଆସୁଥିଲେ। ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବିକୁ ହୃଦୟଙ୍ଗମ କରି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତା ରେ ବସିଥିବା କେବିନେଟ ବୈଠକରେ ଏକ ଉତ୍ସାହପୂର୍ଣ ଘୋଷଣା କରିଥିଲେ। ଏଥିରେ ଗ୍ରୁପ ବି, ସି ଏବଂ ଡି ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ବେତନବୃଦ୍ଧି କରାଯିବା ସହ ଠିକା କର୍ମଚାରୀର ନାମ ପରିବର୍ତ୍ତନ କରାଯାଇ ଇନିସିଆଲ ଆପଇଣ୍ଟି କରାଯାଇଛି। ବର୍ଦ୍ଧିତ ଦରମା ଅନିଯାୟୀ ଗ୍ରୁପ ବି କର୍ମଚାରୀ ମାନେ ପ୍ରଥମ ବର୍ଷ ୨୫,୩୦୦ ରୁ ଆରମ୍ଭ ହୋଇ ଷଷ୍ଠ ବର୍ଷ ୩୨, ୧୦୦ ପର୍ୟ୍ୟନ୍ତ ଦରମା ପାଇବେ ସେହିପରି ଗ୍ରୁପ ସି କର୍ମଚାରୀମନେ ୧୩,୧୦୦ ରୁ ୧୬,୭୦୦ ଏବଂ ଗ୍ରୁପ ଡି କର୍ମଚାରୀ ମାନେ ୧୨,୧୦୦ ରୁ ୧୫,୪୦୦ ମଧରେ ମାସିକ ବେତନ ପାଇବେ। ଏଥିରେ ଅନ୍ୟୁନ ୬୫,୦୦୦ ସରକାରୀ କର୍ମଚାରୀମାନେ ଉପକୃତ ହେବେ। ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ସମ୍ପାଦକ କ୍ଷିତିଶ ପଣ୍ଡା, ଉପସଭାପତି ପ୍ରଭାସ ଭୋଇ, ଦେବବ୍ରତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ରୋଜାଲିନ ପଣ୍ଡା, ଅଳକା ମହାନ୍ତି, ବାବୁଲ ନାୟକ ପ୍ରମୁଖ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଏବଂ ଯାଜପୁରର ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ମହୋଦୟଙ୍କୁ କୃତଜ୍ଞତା ଜଣାଇବା ସହ ଏହାକୁ ପିଛିଲା ଭାବେ ୦୧.୦୧.୨୦୧୬ ରୁ ଲାଗୁକରିବା ଏବଂ ୦୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ଚାକିରୀ ସମୟରେ ମିଶାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶା ସମାଚାର