ଖୋର୍ଦ୍ଧା ୧୦/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଛି ସ୍ୱାମୀ । ମୃତକ ଇନ୍ଦିରା ପ୍ରିୟଦର୍ଶନୀ ମହାନ୍ତି (ଲିନୁ)। ଏଭଳି ନାରକୀୟ ଘଟଣା ଘଟାଇ ଘଟଣାସ୍ଥଳରୁ ହତ୍ୟାକାରୀ ସ୍ୱାମୀ ଫେରାର ହୋଇଯାଇଛି । ପୋଲିସ ପହଞ୍ଚି ଛାନ୍ ଭିନ୍ କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଗୁରୁଜଙ୍ଗର ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି ପ୍ରାୟ ୧୫ ବର୍ଷ ପୂର୍ବେ କାର୍ତ୍ତିକ ପ୍ରଧାନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ କାର୍ତ୍ତିକ ଓ ଇନ୍ଦିରାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଗତ କିଛି ଦିନ ତଳେ ଲିନୁର ଗୋଡ଼ ଭାଙ୍ଗିଯାଇଥିବାରୁ ଆସି ତାଙ୍କ ମା ଙ୍କ ପାଖରେ ରହୁଥିଲେ । କୌଣସି କାରଣରୁ ଶନିବାର ରାତିରେ କାର୍ତ୍ତିକ ଓ ଲିନୁଙ୍କର କିଛି ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ କାର୍ତ୍ତିକ ତାଙ୍କ ସ୍ତ୍ରୀ ଲିନୁର ତଣ୍ଟିକାଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପରିବାର ପକ୍ଷରୁ ଅଭିଯୋଗ ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଲିନୁର ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।ବର୍ତମାନ ସୁଦ୍ଧା ଅଭିଯୂକ୍ତ ସ୍ୱାମୀ କାର୍ତ୍ତିକ ର ପତା ମିଳିନାହିଁ । ଓଡ଼ିଶା ସମାଚାର