ଖୋର୍ଦ୍ଧା, ୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଶେଷରେ ଆତ୍ମସମର୍ପଣ ପରେ ଫେରାର ଥିବା ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜେଲ୍ ଗଲେ । ଖୋର୍ଦ୍ଧା କୋର୍ଟରେ କରିଥିବା ଜାମିନ୍ ଆବେଦନ ଖାରଜ ପରେ ତାଙ୍କୁ ଜେଲ୍କୁ ପଠାଇଦିଆଯାଇଛି । ଖୋର୍ଦ୍ଧା ଏଡିଜେ-୧ ଅଦାଲତ ତାଙ୍କର ଜାମିନ୍ ଖାରଜ କରିଥିଲେ । ଆଜି ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଜଗଦେବ ଆତ୍ମସମର୍ପଣ କରିଥିଲେ ।
ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଥାନାରେ ବିଧାୟକ ଜଗଦେବଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ତାଙ୍କ ଉପରେ ଲାଗିଛି ଏସସିଏସଟି ଆଇନ ଓ ଅପରାଧର ସଙ୍ଗୀନ ଦଫା । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ୟ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ ଏବଂ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ବିଦା କରାଯାଇଛି । ମାଡ ମାରିବା ନେଇ ପ୍ରଶାନ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହେବା ପରଠାରୁ ଦୀର୍ଘ ଏକ ମାସ ଧରି ଫେରାର ଥିଲେ ବିଧାୟକ । ସେବେଠାରୁ ବିଧାୟକଙ୍କୁ ଧରିବା ନେଇ ପୁଲିସ ଚାଲିଆଡେ ଚଢାଉ ଜାରି ରଖିଥିଲା । ବିଧାୟକ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ପରାମର୍ଶ କ୍ରମେ ଶୁକ୍ରବାର ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଓଡ଼ିଶା ସମାଚାର