ଭୁବନେଶ୍ୱର,୦୭/୧୦/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦଘାଟିତ ହୋଇଯାଇଛି । ଶିବିରଟି ୩ଦିନ ଧରି ଚାଲୁ ରହିବ । ଏହି ଶିବିର ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ, ଏଚଆଇଭି, ଏଡ୍ସ, ପ୍ରାଥମିକ ଚିକିତ୍ସା ଓ ରେଡ଼କ୍ରସ କାର୍ଯ୍ୟର ଚିନ୍ତାଧାରା ଉପରେ ଅବଗତ କରାଯିବ । ଶିବିରଟିକୁ ବିଜେବି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର, ଯୁବ ରେଡ଼କ୍ରସ ଅଫିସର ଡ. ଅଜୟ କୁମାର ତି୍ରପାଠୀ, ଚନ୍ଦକା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତା ସୁରେଶ କୁମାର ମହାନ୍ତି ଏବଂ ସୃଷ୍ଟି ଏକାଡ଼େମୀର ଅଧ୍ୟାପକ ଜିତେନ ନନ୍ଦ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି ଶିବିରରେ
ସେଂଟ୍ରାଲ ରେଡ଼କ୍ରସ ରକ୍ତଭଣ୍ଡାର କଟକର ନିର୍ଦ୍ଧେଶକ ଡଃ ଚନ୍ଦ୍ରିକା ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରିବା ଏବଂ ରକ୍ତ ଦେବା ଦ୍ୱାରା ନିଜର ଲାଭ କଣ ହୋଇଥାଏ ସେ ବିଷୟରେ ସ୍ୱେଚ୍ଛାସେବୀମାନଙ୍କୁ ଅବଗତ କରାଇଥିଲେ । ଶିବିରଟିକୁ ବିଜେବି କଲେଜ ଯୁବ ରେଡ଼କ୍ରସର ପରାମର୍ଶଦାତ୍ରୀ ଡ. ସାଧନା ଶତପଥୀ ପରିଚାଳନା କରିଥିଲେ । ଏଥିରେ ଅନୁଷ୍କା ରଏ, ଗୀତାଞ୍ଜଳି ଦଳେଇଙ୍କ ସମେତ ୪୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର
