କେନ୍ଦ୍ରାପଡ଼ା, ୦୭/୧୦/୨୦୨୧(ଓଡ଼ିଶା ସମାଚାର)-ପୂର୍ବତନ କେନ୍ଦ୍ରାପଡା ବିଧାୟକ ତଥା ଦଳୀୟ ପର୍ଯ୍ୟବେକ୍ଷକ କିଶୋର ଚନ୍ଦ୍ର ତରାଇଙ୍କ କେଉଁଝର ଜିଲ୍ଲାର ପାଟଣା ଓ ସଦର ଅଂଚଳ ଗସ୍ତକୁ ନେଇ କେଉଁଝର ବିଜେଡି ଚଳଚଂଚଳ ହୋଇଉଠିଛି । ଏହି ଦୁଇଟି ଅଂଚଳର ବିଭିନ୍ନ ସ୍ଥାନରେ ଦଳୀୟ ପର୍ଯ୍ୟବେକ୍ଷକ ଶ୍ରୀ ତରାଇ ପହଂଚି ବୈଠକ କରାଇବା ସହିତ ବିଜୁ ଜନତା ଦଳର ଦଳୀୟ କର୍ମୀମାନଙ୍କୁ ଏକାଠି ହୋଇ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ସମ୍ମୁଖୀନ ହେବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଶ୍ରୀ ତରାଇଙ୍କ ସାଂଗଠନିକ ଦକ୍ଷତା ଓ ଦଳୀୟକର୍ମୀମାନଙ୍କୁ ଏକାଠି କରି ଆଗାମୀ ଦିନରେ ଦଳ ସପକ୍ଷରେ ଲଢେଇ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ପାଟଣା ବିଧନାସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ କାର୍ଯ୍ୟକାରିଣୀ ବୈଠକ ଝୁମ୍ପୁରା ବ୍ଲକ ଅଂଚଳର ଆସନପାଟ ପଂଚାୟତରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସେହି ବୈଠକରେ ଯୋଗଦେଇଥିବା ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ମାଧବାନନ୍ଦ ସର୍ଦ୍ଧାର, କେଉଁଝର ଜିଲ୍ଲା ଓକିଲ ସଂଘର ସଭାପତି ତଥା ପ୍ରାକ୍ତନ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତୀ, ଜିଲ୍ଲା ବିଜେଡି ଅନୁସୂଚିତ ଜାତି ସେଲର ସଭାପତି ଭରତ ପାତ୍ର, ପାଟଣା ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକଙ୍କ ସମେତ ୪ଟି ବ୍ଲକର ସଭାପତି, ଅଧ୍ୟକ୍ଷ, ମହିଳା ସଭାନେତ୍ରୀ, ଯୁବ, ଛାତ୍ର, କିଷାନ ଓ ଡିଜିଟାଲ ସେଲର ସଭାପତିମାନେ ଯୋଗଦେଇଥିଲେ । ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି କିଭଳି ଦଳର ପ୍ରାର୍ଥୀମାନେ ନିର୍ବାଚନେ ବିଜୟୀ ହୋଇପାରିବେ ସେ ସମ୍ପର୍କରେ ଦଳୀୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ରାପଡା ବିଧାୟକ ଶ୍ରୀ ତରାଇ ଦଳର ନେତୃତ୍ୱ ଏବଂ କର୍ମୀମାନଙ୍କୁ ବୁଝାଇଥିଲେ । ଏହି ବୈଠକରେ କଂଗ୍ରେସ, ବିଜେପି ଓ ସିପିଆଇ ଦଳର ୩୦ଜଣ ବରିଷ୍ଠ କର୍ମକର୍ତା ସେମାନଙ୍କ ସମର୍ଥକମାନଙ୍କ ସହ ବିଜେଡିରେ ଯୋଗଦେଇଥିଲେ । ଏହି ବୈଠକରେ ପର୍ଯ୍ୟବେକ୍ଷକ ଶ୍ରୀ ତରାଇଙ୍କ ସହ ନିରଞ୍ଜନ ପଟ୍ଟନାୟକ, ଗୌତମ ସ୍ୱାଇଁ ଏବଂ ସୂର୍ଯ୍ୟ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର
