ମାହାଙ୍ଗା,୦୭/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ପାଖେଇ ଆସିଲା ତ୍ରି-ସ୍ତରୀୟ ନିର୍ବାଚନ । କ୍ଷମତା ଅକ୍ତିଆର ପାଇଁ ସବୁ ରାଜନୈତିକ ଦଳରେ ଆରଂଭ ହୋଇସାରିଛି ଅଙ୍କକଷା । କିନ୍ତୁ ଦଳ ଡିଆଁଙ୍କୁ ରୋକିବା ପାଇଁ ଯେତେ ଚେଷ୍ଟା କରାଗଲେବି,ଶାସକ ବିଜେଡିର ଗୋଟି ଚାଳନା ଆଗରେ ବିରୋଧୀଙ୍କ ସବୁ ରଣନୀତି ଫେଲ ମାରିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଯୋର ଧରିଛି ।
ମାହାଙ୍ଗା ବ୍ଲକ ଅଂଚଳରେ ରହିଥିବା ୩୭ ଟି ପଞ୍ଚାୟତ ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ସାଙ୍ଗଠନିକ କାର୍ୟ୍ୟରେ ବ୍ୟସ୍ତଥିବା କୁହା ଗଲେବି, ବିରୋଧି ବିଜେପି ଓ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ବହୁ କର୍ମୀଙ୍କ ଯୋଗଦାନ ବିରୋଧୀଙ୍କୁ ଶକ୍ତ ଧକ୍କା ଲାଗିବା ଆଲୋଚନା ଜାରିରହିଛି । ଏହି ଦଳଡିଆଁ ପ୍ରକ୍ରିୟା ଜାରୀ ରହିଲେ ଆଗକୁ ବିରୋଧୀ ଦଳର ସ୍ଥିତି ଆହୁରି ଅଧିକ ଦୁର୍ବଳ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଶାସକ ଦଳରୁ ସରପଞ୍ଚ, ସମିତିସଭ୍ୟ, ଏବଂ ଜିଲାପରିଷଦ ପ୍ରାର୍ଥୀ ହୋଇ ଭୋଟ ଲଢ଼ିବା ପାଇଁ ଯେଉଁମାନେ ଆଶାବାନ୍ଧିଛନ୍ତି, ସେମାନେ ନିଜ ନିଜର ପତିଆରା ଜାହିର ପାଇଁ ଏଭଳି ମିଶ୍ରଣ ପର୍ବକୁ ଜୋରଦାର କରୁଛନ୍ତି । ଫଳରେ ବିରୋଧି ଶିବିରରୁ ଅସନ୍ତୁଷ୍ଟ କର୍ମୀଙ୍କୁ ଆକୃଷ୍ଟ କରିବା ପରେ ସେମାନଙ୍କୁ ବିଜେଡିରେ ସାମିଲ କରାଯାଉଛି । କଂଗ୍ରେସ ଓ ବିଜେପି ଛାଡୁଥିବା କର୍ମୀଙ୍କୁ ଶାସକ ଦଳ ବିନା ସର୍ତ୍ତରେ ଆପଣେଇନେବା ଦେଖିବାକୁ ମିଳୁଛି । ବିରୋଧି ଦଳରେ ଦୀର୍ଘ ବର୍ଷବର୍ଷ ରହିବା ସତ୍ୱେ ସେମାନଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉ ନଥିବା ରୁ ସେମାନେ ଶାସକ ଦଳ ପ୍ରତି ଅଧିକ ଆକୃଷ୍ଟ ହେବା କହୁଛନ୍ତି । ନୂଆକରି ବିଜେଡିରେ ସାମିଲ ହେଉଥିବା ଏହି କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିକାଶ ଉପରେ ଓ ସ୍ଥାନୀୟ ନେତା ମନ୍ତ୍ରୀ ପ୍ରତାପ ଜେନାଙ୍କ କାର୍ୟ୍ୟଧାରାକୁ ପସନ୍ଦ କରିବାରୁ, ପୁରୁଣା ଦଳ ତ୍ୟାଗକରିବାକୁ ନିଷ୍ପତି ନେଉଛନ୍ତି, ଯାହାକି ଶାସକ ଶିବିରକୁ ଅଧିକ ଉତ୍ସାହିତ କରିବା କୁହା ଯାଉଛି । ମନ୍ତ୍ରୀ ପ୍ରତାପ ଜେନା ଦଳୀୟ ସ୍ଥିତିକୁ ମଜଭୁତକରିବା ପାଇଁ ଚଳିତ ଗାନ୍ଧୀ ଜୟନ୍ତୀ ୨ ତାରିଖରୁ ୭ ତାରିଖ ମଧ୍ୟରେ ମାହାଙ୍ଗାରେ ଡେରା ପକାଇଥିଲେ । ଏହା ଭିତରେ ମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିଥିଲେ ଏବଂ ବିଭିନ୍ନ ପଞ୍ଚାୟତରୁ ଶହଶହ ବିଜେପି ଓ କଂଗ୍ରେସ କର୍ମୀଙ୍କୁ କିପରି ବିଜେଡିରେ ସାମିଲ କରାଯାଇପାରିବ ସେ ନେଇ ଦଳୀୟ ନେତାମାନଙ୍କ ସହ ଉଦ୍ୟମ ଜାରିରଖିଥିଲେ । ତେବେ ବିରୋଧୀ କଂଗ୍ରେସ ଓ ବିଜେପି ଦଳ ଏବେଠୁ ସଂଗଠନ କୁ ସୁଦୃଢ କରିବା ସହ ସତର୍କତା ଅବଲମ୍ବନ କରବା ଆବଶ୍ୟକ ବୋଲିମଧ୍ୟ ଆଲୋଚନା ହେଉଛି । ଓଡ଼ିଶା ସମାଚାର