Wednesday , October 4 2023
Breaking News
Home / ରାଜନୀତି / ଓଡ଼ିଶାର ଚୌଦ୍ୱାରଠାରେ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ଦାବି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଓଡ଼ିଶାର ଚୌଦ୍ୱାରଠାରେ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ଦାବି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୦୭/୧୦/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବାଣିଜ୍ୟ ମନ୍ତ୍ରଣାଳୟପକ୍ଷରୁ ୭ଟି ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁମୋଦିତ ହୋଇଛି । ଏହି ପ୍ରକଳ୍ପରେ ୪,୪୪୫ କୋଟି ଟଙ୍କା ଆସନ୍ତା ୫ ବର୍ଷରେ ଖର୍ଚ୍ଚ କରାଯିବ । ଏହାଦ୍ୱାରା ପ୍ରତ୍ୟେକ ଭାବରେ ୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ୨ଲକ୍ଷରୁ ଅଧିକ ନିଯୁକ୍ତି ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କ୍ୟାବିନେଟ୍ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଏହି ୭ଟି ମେଗା ପ୍ରକଳ୍ପ ପ୍ରତିଷ୍ଠା ହେଲେ ଆନ୍ତର୍ଜାତିକ ପୋଷାକପତ୍ର ବଜାରରେ ଭାରତ ଏକ ପ୍ରମୁଖ ଅଂଶୀଦାର ହୋଇପାରିବ ବୋଲି ବୟନଶିଳ୍ପ ଓ ବାଣିଜ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପ୍ରକଳ୍ପ ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଛି । ଅତୀତରେ ଓଡ଼ିଶାର ଚୌଦ୍ୱାର ଶିଳ୍ପାଂଚଳ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଟେକ୍ସଟାଇଲ୍ ବଜାରରେ ବେସ୍ ସୁନାମ ଅର୍ଜନ କରିଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସେତେବେଳେର ବିଶିଷ୍ଟ ଶିଳ୍ପପତି ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଓ.ଟି.ଏମ୍. ଯୋଗୁଁ ଓଡ଼ିଶାର ବସ୍ତ୍ର ଓ ପୋଷାକପତ୍ର ଚାହିଦା ପୂରଣ ହେବା ସହିତ ହଜାର ହଜାର ଲୋକ ଓ.ଟି.ଏମ୍.ରେ ପ୍ରତ୍ୟେକ୍ଷ ନିଯୁକ୍ତି ପାଇଥିଲେ ଏବଂ ବହୁ ଲୋକ ପରୋକ୍ଷ ଭାବରେ ନିଯୁକ୍ତି ପାଇ ବେପାର ବଣିଜ କରି ଚୌଦ୍ୱାର ଅଂଚଳରେ ବସବାସ କରି ଜୀବିକା ନିର୍ବାହ କରୁଥିଲେ । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓ.ଟି.ଏମ୍. ତଥା ଚୌଦ୍ୱାର ଶିଳ୍ପାଂଚଳ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା । କିନ୍ତୁ ଦୁଃଖର ବିଷୟ ବିଗତ ୨୦ ବର୍ଷ ହେଲା ଓ.ଟି.ଏମ୍. ବନ୍ଦ ହୋଇପଡ଼ିଛି । ଏହାର ଶ୍ରମିକମାନେ କିଏ କୁଆଡ଼େ ମରିହଜି ଗଲେଣି । ପାଖାପାଖି ୫୦୦ ରୁ ଅଧି ଶ୍ରମିକ କାମ ଧନ୍ଦା ନପାଇ ଦୁଃଖ କଷ୍ଟରେ ଜୀବନ ଯନ୍ତ୍ରଣାକୁ ସହିନପାରି ମୃତୁ୍ୟବରଣ କଲେଣି । ଶହ ଶହ ଏକର ଓ.ଟି.ଏମ୍.ର ଜମି ଓ କଳକାରଖାନା ପଡ଼ିରହିଛି । ବର୍ତମାନ ଏହ ଓଡ଼ିଶା ପାଇଁ ଏକ ସୁଯୋଗ ଆଣିଦେବାର ସମ୍ଭାବନା ରହିଛି । ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ପାଖରେ ଦାବି କରିବା ଦରକାର ଓଡ଼ିଶାରେ ଏକ ମେଗା ଟେକ୍ସଟାଇଲ୍ ପାର୍କ ଚୌଦ୍ୱାରଠାରେ ପ୍ରତିଷ୍ଠା କରିବା ପାଇଁ । ଆଜି ଏ ସଂକ୍ରାନ୍ତରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହି ଦାବି ଚୌଦ୍ୱାରଠାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ରାଜ୍ୟର ସାଂସଦମାନେ ମଧ୍ୟ ରାଜନୈତିକ ମତାଦର୍ଶର ଉଦ୍ଧ୍ୱର୍କୁ ଉଠି ଚୌଦ୍ୱାରଠାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ଉପସ୍ଥାପିତ କରିବା ପାଇଁ ଶ୍ରୀ ବେହେରା ମାନ୍ୟବର ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି । ଚୌଦ୍ୱାରଠାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ଓଡ଼ିଆ ପୁଅକୁ ଆଉ ଦାଦନ ଶ୍ରମିକ ହେବାପାଇଁ ସୁରଟର ସୂତାକଳରେ ଯାଇ କାମ କରିବାକୁ ପଡ଼ିବ ନାହିଁ କି, ବମ୍ବେ, ଦିଲ୍ଲି, କୋଲକାତା, ବାଙ୍ଗାଲୋର, ଚେନ୍ନାଇରେ ଆଉ ପାଣି ପାଇପ୍ ମିସ୍ତ୍ରୀ ହେବାକୁ ଯିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି । ତେଣୁ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପର ଆବଶ୍ୟକତା ରହିଛି । ଚୌଦ୍ୱାରଠାରେ ଏହା ପ୍ରତିଷ୍ଠା ହେଲେ ଓ.ଟି.ଏମ୍.ର ଅବ୍ୟବହୃତ ଜମି ଏହି ପ୍ରକଳ୍ପରେ ଲାଗିପାରିବ, ବହୁ ବେକାର କାମ ପାଇବେ । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଚୌଦ୍ୱାର ପୁଣି ଥରେ ତା’ର ହୃତ ଗୌରବ ଫେରି ପାଇବ ବୋଲି ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *