ଗରଦପୁର , ୦୬/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ମାଟି ଘର ଭାଙ୍ଗି ଯାଇ ଶୋଇ ରହିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଆଜି ପର୍ଯ୍ୟନ୍ତ ତଦନ୍ତ କରିବା ପାଇଁ ଆସି ନାହାଁନ୍ତି । ପ୍ରଶାସନିକ ଅଧିକାରୀମାନେ ଘର ଭଙ୍ଗା ତଦନ୍ତ କରିବା ପାଇଁ ଆସୁ ନ ଥିବାରୁ ଶୋଇ ରହିଥିବା ମାଟି ଖଞ୍ଜା ଘର ଭିତରେ ରହୁଛନ୍ତି ଶ୍ରୀଚରଣଙ୍କ ପରିବାର । ଗରଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଶ୍ରୀଚରଣ ସାହୁଙ୍କ ଏକ ମାଟି ଖଞ୍ଜା ଘର ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମାଟି କାନ୍ଥ ଓଦା ହୋଇ ଶୋଇ ରହିଛି । ଘରର ଛପର ଉଡିଯିବା ସହିତ କାନ୍ଥଗୁଡିକ ଭାଙ୍ଗିରୁଜି ଯାଇଛି । ଘରର କାନ୍ଥ ପଡିଯିବାରୁ ଘରେ ଥିବା ଆସବାବପତ୍ର ମଧ୍ୟ ମାଟି ତଳେ ରହିଯାଇଥିଲା । ପଡିଶା ଘରର ଲୋକଙ୍କ ଘରେ ଶ୍ରୀଚରଣଙ୍କ ୫ଜଣ ପରିବାର ଲୋକମାନେ ରୋଷେଇ କରି ଖାଉଛନ୍ତି । ଘରର ଛପର ଉଡିଯାଇଥିବାରୁ ବର୍ଷାରୁ ରକ୍ଷା ପାଇବା ପାଇଁ ଘର ଉପରେ ଏକ ପାଲ ପଡିଛି । ଘରର ଆସବାବପତ୍ର ଏହି ପାଲ ଘେରା ଭଙ୍ଗା ଘରେ ରହିଛି । ଏ ସମ୍ପର୍କରେ ଶ୍ରୀଚରଣ ଗରଦପୁର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ମାତ୍ର ସମ୍ପୃକ୍ତ ଗରଦପୁର ରାଜସ୍ୱ ନିରିକ୍ଷକ ତଦନ୍ତ କରିବା ପାଇଁ ଆସି ନ ଥିବା ସମ୍ପର୍କରେ ପଦ୍ମପୁର ପଂଚାୟତର ସରପଂଚ ସ୍ୱର୍ଣ୍ଣଲତା ରାଉତ ଅଭିଯୋଗ କରିଛନ୍ତି । ମାତ୍ର ପଦ୍ମପୁର ଗ୍ରାମର ଦୀପକ ସାହୁ ଓ ଅଶୋକ ସାହୁଙ୍କ ମାଟି ଘର ଗତ ଲଗାଣ ବର୍ଷାରେ ଭାଙ୍ଗିଯାଇଥିବାରୁ ସମ୍ପୃକ୍ତ ରାଜସ୍ୱ ନିରିକ୍ଷକ ତଦନ୍ତ କରିଛନ୍ତି । ସେହିପରି ବେଡାରୀ ପଂଚାୟତ ଅନ୍ତର୍ଗତ ହରିଦାସପୁର ଗ୍ରାମର ଅଛୁତି ସେଠୀଙ୍କର ମାଟି ଘର ଗତ ଲଗାଣ ବଷାଁରେ ଘର ଭାଙ୍ଗି ଯାଇଥିବାବେଳେ, ଘରର କାନ୍ଥ ମଧ୍ୟ ପଡିଯାଇଛି । ମାତ୍ର ରାଜସ୍ୱ ବିଭାଗ ପକ୍ଷରୁ ଆଜି ସୁଦ୍ଧା ଏହି ଭଙ୍ଗା ଘରର ତଦନ୍ତ କରାଯିବା ପାଇଁ କୌଣସି କର୍ମଚାରୀ ଆସି ନ ଥିବାର ଗ୍ରାମର କେତେକ ଲୋକମାନେ ଅଭିଯୋଗ କରିଛନ୍ତି । ଏ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଲଗାଣ ବର୍ଷାରେ ଘର ଭଙ୍ଗିଥିବା ପରିବାରକୁ ଆଜି ସୁଦ୍ଧା କୌଣସି ସହାୟତା ମିଳି ପାରି ନ ଥିବା ଅଭିଯୋଗ ହେଉଛି । ଓଡ଼ିଶା ସମାଚାର