ଭୁବନେଶ୍ୱର,୦୫/୧୦/୨୦୨୧(ଓଡ଼ିଶା ସମାଚାର)- ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ଆଉ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ରହିଛନ୍ତି । ସମସ୍ତଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ର ଆଉ ଏକ ପ୍ରମାଣ ।
ଅନୁଗୋଳର ଡେପୁଟି କଲେକ୍ଟର ଜାନକୀନାଥ ମିଶ୍ରଙ୍କ ବିରୁଦ୍ଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗସ କରାଯାଇଛି । ସେହିପରି ଗଜପତି ଜିଲ୍ଲାର ନୂଆଗଡ ତହସିଲଦାର ଆକୁଳ ମଲ୍ଲିକଙ୍କ ନାଁରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ତାଙ୍କ ବିରୁଦ୍ଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗସ କରାଯାଇଛି। ସେହିପରି ଢେଙ୍କାନାଳର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀଙ୍କ ବିରୁଦ୍ଧରେ ଦୁଇଟି ଦୁର୍ନୀତି ମାମଲା ରହିଛି । ଏହା ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗସ ମଧ୍ୟ ରହିଛି । ସେହିପରି ନୂଆପଡାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ନିକଟରେ ବହୁ ପରିମାଣରେ ହିସାବ ବହିର୍ଭୁତ ଟଙ୍କା ମିଳିଥିଲା ଏବଂ ସେଥିପାଇଁ ତାଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା କରାଯାଇଥିଲା ।
ଏହି ୪ ଜଣ ଅଧିକାରୀଙ୍କ ସମେତ ଏପର୍ୟ୍ୟନ୍ତ ୧୨୨ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଓଡ଼ିଶା ସମାଚାର