ଯାଜପୁର,୦୪/୧୦/୨୦୨୧(ଓଡ଼ିଶା ସମାଚାର)- ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଓଳାଶୁଣୀ ପାହାଡର ପୂର୍ବପଟ ରାସ୍ତା ନିକଟରେ ରବିବାର ରାତିରେ ଜଣେ ଯୁବକ ଙ୍କୁ ଗୁଳି ମାଡ ହୋଇଛି। ଗୁଳିମାଡରେ ଆହତ ଯୁବକ ଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
ମିଳିଥିବା ଖବର ରୁ ପ୍ରକାଶ , ବାଲିଚନ୍ଦ୍ରପୁର ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ ଓରଫ ବୁବୁନ (୨୮) ରବିବାର ରାତି ପ୍ରାୟ ୮ଟା ସମୟରେ ଅନ୍ୟ ଜଣେ ଯୁବକ ସହିତ ଓଳାଶୁଣୀ ପାହାଡର ନିକଟ ରେ ଥିବା ପର୍ୟ୍ୟଟକ ସୁବିଧା କେନ୍ଦ୍ର ନିକଟରେ ଥିବା ବେଳେ ତିନିଜଣ ଅଜଣା ଯୁବକ ଏକ ମୋଟରସାଇକେଲ ଯୋଗେ ସେଠାରେ ପହଂଚିଥିଲେ । କୌଣସି କଥାକୁ ନେଇ ସିଦ୍ଧାନ୍ତ ସହିତ ସେମାନଙ୍କର କଥା କଟାକଟି ହୋଇଥିଲା। ସମ୍ପୃକ୍ତ ଯୁବକଙ୍କ ମଧ୍ୟରୁ ଜଣେ ସିଦ୍ଧାନ୍ତ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲା। ଦୁଇ ରାଉଣ୍ଡ ଗୁଳି ସିଦ୍ଧାନ୍ତ ଙ୍କ ଜଙ୍ଗ ଓ ହାତରେ ବାଜିଥିବା ଜଣାଯାଇଛି। ଗୁଳିମାଡ଼ କରି ସମ୍ପୃକ୍ତ ଯୁବକ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସିଦ୍ଧାନ୍ତଙ୍କୁ ପ୍ରଥମେ ବଡଚଣା ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଖୋକାକୁ ଜବତ କରିଛି। ତେବେ ଏହି ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ ନେଇ ଏଭଳି ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।ଓଡ଼ିଶା ସମାଚାର