ନିରାକାରପୁର, ୦୩/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଖେଳ ପଡ଼ିଆ ନିକଟରୁ ଶନିବାର ରାତି ୧୦ଟା ସମୟରେ ଜଣେ ଯୁବକକୁ ଦୁଇଜଣ ଯୁବକ ଅଟକାଇ ବନ୍ଧୁକ ଲଗାଇ ମାଡ଼ ମାରି ତାଙ୍କ ବେକରୁ ପ୍ରାୟ ୨୫ ଗ୍ରାମର ଏକ ସୁନାଚେନ ଛିଡ଼ାଇ ନେଇ ପଳାଇଥିବାର ଜଣାପଡ଼ିଛି । ସୂଚନାଯୋଗ୍ୟ ନିରାକାରପୁରର ସଞ୍ଜୟ ରାଉତରାୟ ତାଙ୍କ ବାଇକରେ ରାତି ୧୦ଟାରେ ନିରାକାରପୁରରୁ କୌଣସି କାର୍ଯ୍ୟରେ ରାମେଶ୍ୱର ଛକ ଯାଉଥିବାବେଳେ ହଠାତ ତାଙ୍କ ପିଛା କରି ଏକ ନମ୍ବର ବିହୀନ କଳା ପଲସରରେ ଆସିଥିବା ଦୁଇଜଣ ଯୁବକ ତାଙ୍କୁ ରାମେଶ୍ୱର ଖେଳ ପଡ଼ିଆଠାରେ ଅଟକାଇ ପ୍ରଥମେ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ଉକ୍ତ ବନ୍ଧୁକର ପଛ ପାଖରେ ସଞ୍ଜୟଙ୍କ ମୁହଁକୁ ମାଡ଼ ମାରିବାରୁ ଗାଡ଼ି ସହିତ ସେ ତଳେ ପଡ଼ିଯାଇଥିଲେ । ତାର ସୁଯୋଗ ନେଇ ଯୁବକ ଦ୍ୱୟ ତାଙ୍କ ବେକରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ସୁନାଚେନ ଛିଡ଼ାଇ ନେଇ ପଳାଇଥିଲେ । ଏ ସମ୍ବନ୍ଧରେ ସଞ୍ଜୟ ପୋଲିସ ନିକଟରେ ଅଭିଯୋଗ କରି ନଥିବାର ଜଣାପଡ଼ିଛି । କିଛି ଯୁବକ ଏହିପରି ଘଟଣା ବାରମ୍ବାର ରାମେଶ୍ୱର ଜଙ୍ଗଲ ନୂଆ ଜଗନ୍ନାଥ ସଡ଼କରେ କରୁଥିଲେ ବି ପୋଲିସ ହାତରେ ଧରା ପଡ଼ୁ ନାହାଁନ୍ତି । ପୋଲିସ ରାତ୍ରୀ କାଳୀନ ପାଟ୍ରୋଲିଙ୍ଗକୁ ବଢାଇ ଏହି ଲୁଟେରାମାନଙ୍କୁ ଧରିବା ପାଇଁ ଦୃଢ ଦାବି ହେଉଛି । ଓଡ଼ିଶା ସମାଚାର