Wednesday , October 5 2022
Home / ନିର୍ବାଚନ / ପିପିଲି ନିର୍ବାଚନ : ବାପାଙ୍କ ଗଡ ବଜାୟ ରଖିଲେ ପୁଅ

ପିପିଲି ନିର୍ବାଚନ : ବାପାଙ୍କ ଗଡ ବଜାୟ ରଖିଲେ ପୁଅ

ଭୁବନେଶ୍ୱର,୦୩/୧୦/୨୦୨୧(ଓଡ଼ିଶା ସମାଚାର)- ବାପାଙ୍କ ଶ୍ରାଦ୍ଧ ଦିବସରେ ବାପାଙ୍କ ଗଡ ବଜାୟ ରଖିଲେ ପୁଅ। ବାପା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପିପିଲି ନିର୍ବାଚନ ମଣ୍ଡଳୀକୁ ବଜାୟ ରଖିଲେ ଜୁନିୟର ମହାରଥୀ ରୁଦ୍ର ମହାରଥୀ । ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୯୬ ହଜାର ୯୭୨ ଖଣ୍ଡ ଭୋଟ୍ ପାଇଥିବରବେଳେ  ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ ହଜାର ୫୬ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ର ମାତ୍ର ୪ ହଜାର ୨୬୧ ଖଣ୍ଡ ଭୋଟ ପାଇ ନିଜର ଅମାନତ ହରାଇଛନ୍ତି। ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କ ଠାରୁ ୨୦ ହଜାର ୯୧୬ ଖଣ୍ଡ ଅଧିକ ଭୋଟ ପାଇ ଶାସକ ବିଜେଡ଼ି ଦଳର ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟ ଲାଭ କରିଛନ୍ତି । ଭୋଟ ଗଣତି ଶେଷ ହେବା ପରେ ରିଟଣ୍ଣିଂ ଅଫିସର ବିଜୟୀ ପ୍ରାଥିୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।  ପିପିଲିରେ ବିଜେଡି ସମର୍ଥକଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଛି।

ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଉପ ନିର୍ବାଚନ ହେବାର ଥିଲା। ହେଲେ ଉପ ନିର୍ବାଚନର ଠିକ୍ ଭୋଟିଂ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ହୋଇଥଲା। ପରେ କରୋନା ଯୋଗୁଁ ପିପିଲି ଉପ ନିର୍ବାଚନ ସ୍ଥଗିତ ହୋଇଥିଲା। ଶେଷରେ ସେପ୍ଟେମ୍ବର ୩୦ରେ ଓଡିଶାର ଏହି ହାଇଭୋଲଟେଜ୍ ଆସନରେ ଭୋଟିଂ ହୋଇଥିଲା। ଏଥର ଭୋଟ ହାର ୧ ପ୍ରତିଶତ ବଢ଼ି ୭୮.୨୪ ପ୍ରତିଶତ ରହିଥିଲା। ସାଧାରଣତଃ କୁହାଯାଏ ବମ୍ପର  ଭୋଟିଂ ହେଲେ ସରକାର ବିରୋଧୀ ହାଓ୍ଵା ବହେ। ହେଲେ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ସ୍ୱର୍ଗତ ପ୍ରଦୀପ ମହାରଥୀ ଏହି ଆସନରେ ୭ ଥର ନିର୍ବାଚନ ଜିତିଥିଲେ। ହେଲେ ୧୯୯୯ରେ ବିଜେଡି ଗଠନ ପରେ ମହାରଥୀ ବିଜେଡି ଟିକେଟ୍ରେ କ୍ରମାଗତ ୨୦୦୦ରୁ ୨୦୧୯ ମଧ୍ୟରେ କ୍ରମାଗତ ୫ ଥର ବିଜୟୀ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମହାରଥୀଙ୍କୁ କଡା ଟକ୍କର ଦେଇଥିଲେ। ହେଲେ ବାପାଙ୍କ ଅନ୍ତେ ପୁଅ ତାଙ୍କ ଗଡକୁ ବଜାୟ ରଖିବାରେ ସମର୍ଥ ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.