ପାରାଦୀପ ୦୩/୧୦/୨୦୨୧(ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏକ ମାସ ଧରି ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରୀ ରଖିବା ପାଇଁ ଦଳର କାର୍ଯ୍ୟକର୍ତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟର ସମସ୍ତ ବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର ଓ ଏହାର ରାସ୍ତାଘାଟ ସମେତ ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ସ୍ଥାନକୁ ପରିଷ୍କାର ଓ ପରିଚ୍ଛନ ରଖିବା ସହିତ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ଜନତା ଦଳ ପାରାଦୀପ ପକ୍ଷରୁ ରବିବାର ଦିନ ସେବା ଓ ସମର୍ପଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ଆଲୋକ ମହାପାତ୍ରଙ୍କ ନେତୃତ୍ୱରେ ଆଜି ସକାଳ ୭ଟା ବେଳେ ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅଠରବାଙ୍କୀ ଠାରେ ଥିବା ପ୍ରତିମୃର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମୁହ ସଫେଇ କାର୍ଯ୍ୟ କରାଯାଇଥିଲା । ପୂର୍ବତନ ପୌରପାଳ ତଥା ବିଜୁ ଜନତା ଦଳ, ପାରାଦୀପର ସଭାପତି ବସନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଉଲ୍ଲାସ ବିଶ୍ୱାଳ, ଜ୍ୟୋତିକାନ୍ତ ପରିଡା, ବିକ୍ରମ ମହାନ୍ତି, ମହିଳା ସଭାନେତ୍ରୀ ଚପଳା ସ୍ୱାଇଁ, ଶଙ୍କର ପ୍ରସାଦ ରାଉତ, ଲିତା ବିଶ୍ୱାଳ, ବିଜୟ ସେଠୀ, ନିରଂଜନ ବଳ, ଲୋକନାଥ ବେହେରା, ଜ୍ୟୋତିରଂଜନ ଦାସଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ଯୁବ କର୍ମୀମାନେ ଯୋଗ ଦେଇ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ ନିକଟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲ ବିଜୁ ଯୁବ ଜନତା ଦଳର ସଭାପତି ଆଲୋକ ମହାପାତ୍ର ସୁଚନା ଦେଇଛନ୍ତି । ଓଡ଼ିଶା ସମାଚାର
