ନିରାକାରପୁର, ୦୩/୧୦/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧିନସ୍ଥ ଭୁଷଣ୍ଡପୁର ଫରେଷ୍ଟର ସିନ୍ଧୁ ଚରଣ ସିଂ ଙ୍କୁ ଶନିବାର ଦିନ ଖଣି ମାଫିଆମାନେ ପୂର୍ବ ଶତ୍ରୁତା ରଖି ଫୋନରେ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ବିଷୟରେ ନିରାକାରପୁର ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଫରେଷ୍ଟରଙ୍କ ଅଭିଯୋଗ ଅନୁଯାୟୀ ସେ ମେଡ଼ିକାଲ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିବାବେଳେ ହଠାତ ଫୋନ ନଂ ୭୯୭୮୯୭୯୧୬୦ରୁ କେହି ଫୋନ କଲ କରିଥିଲେ । ପରିଚୟ ପଚାରିବାରୁ ନିଜକୁ ଜୁବଲା ଓରଫ ଚଣ୍ଡୀ ଓରଫ ଭବାନୀ ଶଙ୍କର ଜେନା ଓ ତୋଫାନ ଜେନା ବୋଲି କହି ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ତୋଫାନ ଜେନାଙ୍କ ନାମରେ ପୂର୍ବରୁ ବନ ବିଭାଗରେ ୪ଟି ମାମଲା ରହିଥିବା ଅଭିଯୋଗରୁ ଜଣାପଡ଼ୁଛି । ପ୍ରକାଶଥାଉ କି ଗତ ମାସ ୧୪ ତାରିଖ ରାତି ସାଢେ ୮ଟାରେ ଭୁଷଣ୍ଡପୁର ବନ କର୍ମଚାରୀମାନେ ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ଼ ପଂଚାୟତ ହରିପୁର ଗ୍ରାମ ପାହାଡ଼ ଜଙ୍ଗଲ ନିକଟରୁ ଏକ ହାତୀକୁ ଘଉଡ଼ାଉଥିବାବେଳେ ଅତର୍କିତଭାବେ କିଛି ଲୋକ ଆସି ବନ କର୍ମଚାରୀମାନଙ୍କୁ ମାଡ଼ ମାରି ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଭୁଷଣ୍ଡପୁର ଫରେଷ୍ଟର ସିନ୍ଧୁ ଚରଣ ସିଂଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ହରିପୁର ଗ୍ରାମର ତୋଫାନ ଜେନା, କାଳିଆ ଜେନା, ଭବାନୀ ଶଙ୍କର ଜେନା, ରାହସ ପଲେଇ,ମନୋରଞ୍ଜନ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ହାଡ଼ିଆ ଜେନା ପ୍ରମୁଖଙ୍କ ଆକ୍ରମଣରେ ୫ ଜଣ ବନ କର୍ମଚାରୀ ଅରୂପ କୁମାର ବେହେରା, ଶ୍ରୀକାନ୍ତ ପରିଡ଼ା, ଯୁଧିଷ୍ଠିର ପରିଡ଼ା, ସାଗର କୁମାର ବରିସଲ, ଶିବ ପ୍ରାସଦ ପ୍ରଧାନ ଓ ଡ଼୍ରାଇଭର ଅଜିତ ନାୟକ ଆହତ ହୋଇଥିଲେ । ହାତୀ ତ ଧରି ପାରୁନ ଖାଲି ପଥର ଖଣି ଉପରେ ଚଢାଉ କରୁଛ । ସେମାନେ ପଥର ଖଣି ଚଳାଇବେ କିଏ କଣ ତାଙ୍କର କରୁଛି କହିଥିଲେ । ଫରେଷ୍ଟର ସିନ୍ଧୁ ଚରଣ ସିଂ ବିଭାଗୀୟ କର୍ମଚାରୀମାନଙ୍କୁ ଚିକିତ୍ସା କରାଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ ଜାମିନରେ ଆସିବା ପରେ ପୁନର୍ବାର ଫରେଷ୍ଟରଙ୍କୁ ଫୋନରେ ଗତକାଲି ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଘଟଣା ସେମାନଙ୍କ ମନୋବଳକୁ ପରୋକ୍ଷରେ ବଢାଉଥିବା ଭଳି ମନେ ହେଉଛି । ତେଣୁ ନିରାକାରପୁର ପୋଲିସ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ପଦକ୍ଷେପ ନେବାକୁ ଦାବି ହେଉଛି । ଓଡ଼ିଶା ସମାଚାର
