Wednesday , May 31 2023
Home / ବିଶେଷ / ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧ୍ୟୟନ କରିବା ପାଇଁ ୟୁଜିସିକୁ ନିର୍ଦ୍ଧେଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର/ରେଢାଖୋଲ, ୦୨/୧୦/୨୦୨୧(ଓଡ଼ିଶା ସମାଚାର)- ମହିମା ଧର୍ମର ମହାନ ପ୍ରଚାରକ ତଥା ଓଡିଆ ସାହିତ୍ୟ ଓ ଧାର୍ମିକ- ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିବା ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ୟୁନିଭରସିଟି ଗ୍ରାଂଟ୍ସ କମିଶନ(ୟୁଜିସି)କୁ ନିର୍ଦ୍ଧେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବତୋମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ । ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ । ଉଚ୍ଚତର ଗବେଷଣା କରାଯିବା ସହ ୟୁଜି ଏବଂ ପିଜି ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରାଯିବ । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଭୀମ ଭୋଇ ଚେୟାର ସ୍ଥାପନ ହେବ । ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରିବା ପାଇଁ ୟୁଜିସିକୁ ନିର୍ଦ୍ଧେଶ ଦିଆଯାଇଛି । ଏହା ଦ୍ୱାରା ଶତାବ୍ଦୀ ଶତାବ୍ଦୀରୁ ପଛୁଆ ଅଂଚଳରୁ ଆରମ୍ଭ ହୋଇଥିବା ମହାନ୍ ବିଚାର ଅନ୍ତରାଷ୍ଟ୍ରୀୟ ସ୍ତରକୁ ଯିବ । ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ ଅବସରରେ ଏହା ମୋଦି ସରକାରଙ୍କ ବଡ଼ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” । ସନ୍ଥ କବିଙ୍କ ଏହି କାଳଜୟୀ ବିଚାର ଜାତିସଂଘର ମୁଖ୍ୟାଳୟରେ ଲିପିବଦ୍ଧ ହୋଇ ରହିଛି । ବିଶ୍ୱ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ, ଏହା ହିଁ ହେବ ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସନ୍ଥକବିଙ୍କ ଜୀବନ ଆଦର୍ଶରେ ଓଡ଼ିଆ ଜାତି ସର୍ବଦା ଅନୁପ୍ରାଣିତ ହୋଇ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.