Wednesday , October 4 2023
Breaking News
Home / ବିଶେଷ / ରାତିରେ ଭୋଜି ଓ ବୁଲିବା ହେଲା କାଳ : ସାମାନ୍ୟ କଥାକୁ କେନ୍ଦ୍ର କରି ସହଯୋଗୀକୁ ପଥରରେ ଛେଚି ମାରିଲା ଗ୍ୟାରେଜ ମାଲିକ ରାଜଶେ

ରାତିରେ ଭୋଜି ଓ ବୁଲିବା ହେଲା କାଳ : ସାମାନ୍ୟ କଥାକୁ କେନ୍ଦ୍ର କରି ସହଯୋଗୀକୁ ପଥରରେ ଛେଚି ମାରିଲା ଗ୍ୟାରେଜ ମାଲିକ ରାଜଶେ

ନିରାକାରପୁର, ୦୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ଭୋରୁ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅର୍ନ୍ତଗତ ଜଙ୍କିଆ ଖେଳ ପଡ଼ିଆ ନିକଟରେ ଗୋଟିଏ ଯୁବକର ଶବ ତଳେ ପଡ଼ିଥିବାବେଳେ ପାଖରେ ଜଣେ ଯୁବକ ବସି ଥିବାର ଦେଖି ସ୍ଥାନୀୟ କିଛି ଲୋକ ସେଠାକୁ ଯିବାରୁ ଏକ ଷଣ୍ଢକୁ ତାର ବାଇକ ଧକ୍କା ଦେବାରୁ ଏପରି ହୋଇଥିବା କଥା ସେ କହିଥିଲା । ପରେ ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଂଚି ଦେଖିବାକୁ ପାଇଥିଲେ କି ପଡ଼ିଥିବା ଯୁବକର ମୃତ୍ୟୁ ହୋଇଛି । ତାର ମୁଣ୍ଡର ପଛ ପାଖରେ ଶକ୍ତ ଆଘାତ ଲାଗିଛି । ଯାହା ଫଳରେ ତାର ମୃତ୍ୟୁ ଘଟିଛି । ଅଭିନୟ କରୁଥିବା ଗ୍ୟାରେଜ ମାଲିକ ରାଜେଶ ଏହାର ମାଷ୍ଟର ମାଇଣ୍ଡ ଓ ସେ ତାକୁ ହତ୍ୟା କରିଥିବା ସନ୍ଦେହ କରି ପୋଲିସ ତାର ଗାଡ଼ି ଜବତ କରିବା ସହ ତାକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା । ପରେ ପୋଲିସ ଆଗରେ ରାଜେଶ ସବୁକିଛି ମାନିଛି । ସେ ତାକୁ ସାମାନ୍ୟ କଥାରେ ପଥରରେ ଛେଚି ହତ୍ୟା କରିଥିବା କଥା ପୋଲିସକୁ କହିଛି ।

ମୃତ-ସୌମ୍ୟରଞ୍ଜନ-ର-ଫାଇଲ-ଫଟୋ
ହତ୍ୟାକାରୀ ରାଜେଶ

ସୂଚନାଯୋଗ୍ୟ କି ନୟାଗଡ଼ ଜିଲ୍ଲା ରଣପୁର ଜଗନ୍ନାଥ ବଜାରରେ ରଣପୁରର ରାଜେଶ କୁମାର ପାଣ୍ଡି (୩୦)ଙ୍କ ମଟରସାଇକେଲ ଗ୍ୟାରେଜରେ ରଣପୁର ଥାନା ଅନ୍ତର୍ଗତ ଭେରୁପଡ଼ା ଗ୍ରାମର ସୌମ୍ୟରଞ୍ଜନ ସାମନ୍ତରାୟ (୧୭)କାମ ଶିଖୁଥିଲା । ପ୍ରତିଦିନ ଗାଁକୁ ଯିବା ଆସିବା କରୁଥିଲା । ଗୁରୁବାର ଦିନ ସୌମ୍ୟରଞ୍ଜନ ଘରକୁ ନ ଯାଇ ରାତିରେ ଭୋଜି ହେବାର ଅଛି ତେଣୁ ଶୁକ୍ରବାର ଘରକୁ ଯିବ ବୋଲି ପରିବାର ଲୋକଙ୍କୁ ଜଣାଇ ରଣପୁରରେ ରହିଯାଇଥିଲା । କିନ୍ତୁ ଆଜି ଭୋରୁ ତାର ଶବ ଜଙ୍କିଆ ଖେଳ ପଡ଼ିଆ ନିକଟରେ ପଡ଼ିଥିବାର ପରିବାର ଲୋକ ଜାଣିବା ପରେ ଜଙ୍କିଆ ଥାନାକୁ ଆସି ଥାନା ଆଗରେ ବସିଥିବା ଉକ୍ତ ଗ୍ୟାରେଜ ମାଲିକ ରାଜେଶକୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିବେଦନ କରିଥିଲେ । ପରେ ଜଙ୍କିଆ ଥାନାକୁ ଏସଡ଼ିପିଓ ସୁଶୀଲ ମିଶ୍ର ତତ୍ୱାବଧାନରେ ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଂଟିଆ ଅଟକ ରାଜେଶ ପାଣ୍ଡିକୁ ପଚରାଉଚରା ଆରମ୍ଭ କରିଥିଲେ । ତାର କହିବା ମୁତାବକ ତାକୁ ବିଭିନ୍ନ ସ୍ଥାନକୁ ନେଇଥିଲେ । ପୋଲିସ ଆଗରେ ଶେଷରେ ଗ୍ୟାରେଜ ମାଲିକ ରାଜେଶ ହତ୍ୟା କରିଥିବା କଥା ମାନିଥିବାର ଜଙ୍କିଆ ପୋଲିସଠାରୁ ଜଣାପଡ଼ିଛି । ରାଜେଶ ଓ ସୌମ୍ୟରଞ୍ଜନ ଗୁରୁବାର ଖିଆପିଆ କରିବା ପରେ କୁଆଡ଼େ ରାତିଯାକ ଖୁସିରେ ବୁଲିଥିଲେ । ସେମାନେ ରଣପୁରରୁ ଆସି ଜଙ୍କିଆ ରାସ୍ତାରେ ଆସି ରାମେଶ୍ୱର ଛକରୁ ଟାଙ୍ଗୀ ମଧ୍ୟରେ ବୁଲିଥିଲେ । ୧୬ନଂ ଜାତୀୟ ରାଜପଥ ରାମେଶ୍ୱର ଛକଠାରୁ କିଛି ଦୂରରେ ସେ ଆଣିଥିବା ପଲସର ବାଇକ ନଂ ଓଡ଼ି ୦୨ ଏଏ ୮୭୯୧ରୁ ପେଟ୍ରୋଲ ସରିଯିବାରୁ ଗାଡ଼ିକୁ ନେଇ ତେଲ ପକାଇବାକୁ ରାଜେଶ ସୌମ୍ୟରଞ୍ଜନକୁ କହିଥିଲା କିନ୍ତୁ ସେ ମୋବାଇଲରେ ଗେମ ଖେଳି ରାଜେଶକୁ ତେଲ ପକାଇ ଆସିବାକୁ କହିଥିଲା । ଏଥିରେ ରାଜେଶ ଉତ୍ୟକ୍ତ ହୋଇ ନିକଟରେ ଥିବା ପଥରରେ ସୌମ୍ୟରଞ୍ଜନର ମୁଣ୍ଡ ପଛ ପାଖକୁ ଶକ୍ତ ଆଘାତ ଦେଇଥିଲା । ଘଟଣାସ୍ଥଳରେ ସୌମ୍ୟରଞ୍ଜନ ଗୁରୁତର ହୋଇ ପଡ଼ିବାରୁ ସେ ତାକୁ ଏକ ଗାମୁଛାରେ ନିଜ ଶରୀରରେ ବାନ୍ଧି ଚିକିତ୍ସା କରିବାକୁ ଭୁବନେଶ୍ୱରକୁ ନେଉଥିଲା ବୋଲି ପୋଲିସ ଆଗରେ ଜଣାଇଥିବା ସୂଚନା ମିଳୁଛି । କିନ୍ତୁ ଜଙ୍କିଆ ଖେଳ ପଡ଼ିଆ ନିକଟରେ ସକାଳ ହୋଇଯିବା ଓ ତାର ବାଇକରୁ ସୌମ୍ୟରଞ୍ଜନ ଖସି ପଡ଼ିବା ଫଳରେ ସେ ଦୁର୍ଘଟଣାର ଅଭିନୟ କରିଥିଲା । ପୋଲିସ ଶବକୁ ବ୍ୟବଛେଦ ପାଇଁ ଖୋର୍ଦ୍ଧା ପଠାଇ ଏକ ମାମଲା ରୁଜୁ କରିଛି । ଜଙ୍କିଆ ଥାନାକୁ ସୌମ୍ୟଙ୍କ ମାଆ ଗୀତାଞ୍ଜଳୀ ସାମନ୍ତରାୟ ଆସି ଅଭିଯୋଗ କରିଥିଲେ । ଏବେ ପୋଲିସ ସୌମ୍ୟଙ୍କ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବାବେଳେ ହତ୍ୟାକାରୀ ରାଜେଶକୁ ଗିରଫ କରି ଆଜି କାଲି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି । କିନ୍ତୁ ଉକ୍ତ ଦୁଇଜଣ କଣ ପାଇଁ ଏତେ ରାତିରେ ରଣପୁରରୁ ଆସି ଜଙ୍କିଆ ଓ ନିରାକାପୁର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥରେ ବୁଲୁଥିଲେ ତାହା ପୋଲିସର ତଦନ୍ତ ସାପେକ୍ଷ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *