Sunday , October 17 2021
Breaking News
Home / ରାଜନୀତି / ମାଟି ଓ ମାତୃଭାଷାର ସୁରକ୍ଷା ଦାବିରେ ଗାନ୍ଧିଜୟନ୍ତୀ ଅବସରରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ମାଟି ଓ ମାତୃଭାଷାର ସୁରକ୍ଷା ଦାବିରେ ଗାନ୍ଧିଜୟନ୍ତୀ ଅବସରରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ୱର,୦୨/୧୦/୨୦୨୧(ଓଡ଼ିଶା ସମାଚାର)- ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି  । ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସ୍ଥାନୀୟ ଜନତା ମଇଦାନ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ ସକାଳ ୯ ଘଟିକା ସମୟରେ ମାଲ୍ୟାର୍ପଣ କରିବା ସହିତ ଓଡ଼ିଶାର ସୀମାସୁରକ୍ଷା ଓ ଓଡ଼ିଆ ଭାଷାର ସୁରକ୍ଷା ଦାବିକରି ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଏଠାରେ ଉଲ୍ଲେଖଥାଉକି, ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ, ଭାଇଚାରା, ବେପାର ବଣିଜ  କରିବାର ବନ୍ଦୋବସ୍ତ ଥିଲାବେଳେ ଆମର ପଡ଼ୋଶୀ ରାଜ୍ୟମାନେ ସଂଘୀୟ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ କରି ଓଡ଼ିଶାର ପାଣି, ଖଣି, ଜଙ୍ଗଲ ଓ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇବା ସହିତ ଓଡ଼ିଆ ଭାଷାକୁ ଅଣଦେଖା ଓ ଅବମାନନା କରିବା ଆରମ୍ଭ କରିଦେଇଛନ୍ତି  । ଏହାର ସଦ୍ୟତମ ଉଦାହରଣ ହେଉଛି ଆନ୍ଧ୍ରପ୍ରଦେଶର କୋରାପୁଟ ଜିଲ୍ଲାର କୋଟିଆ ଉପଖଣ୍ଡ, ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତର ମାଣିକପାଟଣା ଗ୍ରାମ ଦଖଲ ଓ ପଶ୍ଚିମବଙ୍ଗଳାର ଦୀଘା ସୀମାରେ ଜବରଦସ୍ତ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁରଠାରେ ୩୦ ଫୁଟ୍ ର ପାଚେରୀ ନିର୍ମାଣ  । ବାରମ୍ବାର ଏହି ଦୁଇ ପଡ଼ୋଶୀ ରାଜ୍ୟ ଆମ ସୀମା ଭିତରକୁ ପଶିଆସି ଦାଦାଗିରି କରିବା ସହିତ ଆମ ବାଲି, ଆମ ଖଣି ଓ ଆମ ପାଣିକୁ ଦଖଲ କରିବାରେ ଲାଗିଛନ୍ତି  । ଏହା ଦେଖାଦେଖି ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ମଧ୍ୟ ଓଡ଼ିଆ ଭାଷାକୁ ଅଣଦେଖା କରିବା ଆରମ୍ଭ କରିଛି  । ଝାଡଖଣ୍ଡର ଷଢେଇକଳା, ଖରସୁଆଁ, ଚାଇଁବସା, ପୂର୍ବସିଂହଭୂମି, ପଶ୍ଚିମ ସିଂହଭୂମି ଓ ରାଂଚି ପ୍ରଭୃତି ଅଂଚଳରେ ରହୁଥିବା ୧୫ ରୁ ୨୦ ଲକ୍ଷ ଓଡ଼ିଆ ଲୋକଙ୍କ ଭାବାବେଗକୁ ଅଣଦେଖା କରି ଝାଡଖଣ୍ଡ ସରକାର ଶିକ୍ଷକ ତାଲିମ୍ ପରୀକ୍ଷାରୁ ଓଡ଼ିଆ ଭାଷାକୁ ବାଦ୍ ଦେଇଛନ୍ତି  । ଏହାଫଳରେ ସେଠାକାର ଓଡ଼ିଆମାନେ ଏହାର ଦୃଢ ପ୍ରତିକାର କରିବା ସହିତ ଏହା ଓଡ଼ିଆ ଭାଷାକୁ ଆକ୍ରମଣର ଅନ୍ୟ ଏକ ଷଡ଼ଯନ୍ତ୍ର ବୋଲି ମନେକରି ଏହା ବିରୁଦ୍ଧରେ ଧାରଣା ଓ ଆନ୍ଦୋଳନ ହାତକୁ ନେଇଛନ୍ତି  । ଆନ୍ଧ୍ର ଓ ଛତିଶଗଡ଼ରେ ଥିବା ବିଚ୍ଛିନ୍ନାଳରେ ସେହି ରାଜ୍ୟର ସରକାରମାନେ ଓଡ଼ିଆ ଭାଷାରେ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଉନାହାଁନ୍ତି କିମ୍ବା ଓଡ଼ିଆ ଶିକ୍ଷାଦାନ ପ୍ରତି ସେଭଳି ଗୁରୁତ୍ୱାରୋପ କରୁନାହାଁନ୍ତି  । ଯଦିଓ ନୂଆ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଲାଭ କରିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବରେ କେନ୍ଦ୍ର ସରକାର ମାନ୍ୟତା ଦେଇଛନ୍ତି, କିନ୍ତୁ ବିଚ୍ଛିନ୍ନାଳରେ ବସବାସ କରୁଥିବା ଆନ୍ଧ୍ର, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗଳା ପ୍ରଭୃତି ପଡ଼ୋଶୀ ରାଜ୍ୟରେ ଓଡ଼ିଆମାନେ ଓ ଓଡ଼ିଆ ଭାଷା ଆଜିବି ଅବହେଳିତ  । ଏହା ଉପରେ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରି ସମାଜବାଦୀ ପାର୍ଟି ପକ୍ଷରୁ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  । ସେହିଭଳି ପଡ଼ୋଶୀ ଏହି ଚାରିଗୋଟି ରାଜ୍ୟ ସହିତ ଓଡ଼ିଶାର ପାଖାପାଖି ୯୬ଟି ଗାଁ ଓ ୨୪ଟି ପଡ଼ାର ବିବାଦ ଲାଗି ରହିଥିଲା ବେଳେ କେନ୍ଦ୍ର ସରକାର ଏଥିପ୍ରତି ଆକି ବୁଜିଦେବା ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି  । ବିଗତ ଦିନରେ ସମାଜବାଦୀ ପାର୍ଟି ପକ୍ଷରୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଏକ ପତ୍ର ଲେଖାଯାଇ ଓଡ଼ିଶାର ପଡ଼ୋଶୀ ରାଜ୍ୟ ସହିତ ଥିବା ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ  ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀ ଡାକି ପଦକ୍ଷେପ ଦାବି କରାଯାଇଥିଲାବେଳେ କେନ୍ଦ୍ର ସରକାର ସେଥିପ୍ରତି ନିରବତା ଅବଲମ୍ବନ କରିଛନ୍ତି  । କେନ୍ଦ୍ରର ଏହି ଉଦାସୀନତାର ସୁଯୋଗ ନେଇ ପଡ଼ୋଶୀ ରାଜ୍ୟମାନେ ଓଡ଼ିଶାର ମାଟି, ପାଣି, ବାଲି ଓ ଭୌଗୋଳିକ ସୀମାକୁ ଦଖଲ କରିବାର ସାହାସ କରୁଛନ୍ତି  । ତେଣୁ ସମୟ ଥାଉଥାଉ କେନ୍ଦ୍ର ସରକାର ବିଶେଷତଃ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି ଏହି ସୀମାବିବାଦକୁ  ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ପାର୍ଟି ସଭାପତି ଶ୍ରୀ ବେହେରା ଦାବି କରିଛନ୍ତି  । ତା’ନହେଲେ ଆସାମ ଓ ମିରୋଜାମ ଭଳି  ଓଡ଼ିଶାର ସୀମାନ୍ତରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ  । ଆଜିକାର ଏହି ବିକ୍ଷୋଭରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ସୁବ୍ରତ ଲେଙ୍କା, ସୁନୀଲ୍ ମିଶ୍ର, ସୁଶୀଲ ହୋତା, ପାର୍ଟିର ବରିଷ୍ଠ ନେତା ବିଜୟ ବେହେରା, ସଞ୍ଜୟ ନାୟକ, ଛାତ୍ରନେତା ସୌମ୍ୟରଞ୍ଜନ ଦାସ, ଦେଶପ୍ରିୟ ଦାସ, ନାରୀନେତ୍ରୀ ରୀତା ପଟ୍ଟନାୟକ, ସୁଧାରାଣୀ ସାହୁ, ଯୁବନେତା ଦେବାଶିଷ ମହାପାତ୍ର, ଏବଂ ଓମ୍ ପ୍ରକାଶ ଦାସ ପ୍ରମୁଖ ଅଂଶଗ୍ରହଣ ମରତ ଏହି ବିୋକ୍ଷାଭର ନେତୃତ୍ୱ ନେଇଥିଲେ  । ଓଡ଼ିଶା ସମାଚାର

About admin

Check Also

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ : କଂଗ୍ରେସ ଦଳ ପକ୍ଷରୁ ଥାନା ସମ୍ମୁଖରେ ଧାରଣା

କଳାହାଣ୍ଡି ,୧୫/୧୦/୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଆଜି ଗୋଳାମୁଣ୍ଡା ବ୍ଲକ କେ – ଗାଁ ଥାନା ସମ୍ମୁଖରେ …

Leave a Reply

Your email address will not be published. Required fields are marked *