Tuesday , October 19 2021
Breaking News
Home / ବିଶେଷ / ଅନୁଗୋଳ ଜିଲ୍ଲା ଜଏରାଟରେ ଗାନ୍ଧୀ ଜୟନ୍ତୀ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଜିଲ୍ଲା ଜଏରାଟରେ ଗାନ୍ଧୀ ଜୟନ୍ତୀ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ କିଣିବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ/ବାମୁର, ୦୨/୧୦/୨୦୨୧(ଓଡ଼ିଶା ସମାଚାର)-ପବିତ୍ର ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ମନରେ ବାପୁଙ୍କୁ ଧାରଣ କରି ସ୍ଥାନୀୟ ଅଂଚଳର ବୁଣାକାର, ହସ୍ତଶିଳ୍ପୀ, କାରିଗର ମାନଙ୍କ ଦ୍ୱାରା ତିଆରି ଉତ୍ପାଦିତ କଳାତ୍ମକ ଜିନିଷ କିଣିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରର ଅନୁଗୁଳ ଜିଲ୍ଲା ଗସ୍ତ କରି କିଶୋରନଗର ବ୍ଲକ ବାମୁର ଠାରେ ଜାତିର ଜନକ ତଥା ଶାନ୍ତି ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗାନ୍ଧିଜୀ ଅବସ୍ଥାନ କରିଥିବା ବାମୁର ସ୍ଥିତ ଡ଼ାକ ବଙ୍ଗଳା ପରିଦର୍ଶନ କରିଛନ୍ତି । ଏହାସହ କିଶୋରନଗର ବ୍ଲକ ଜଏରାଟ୍ ଗ୍ରାମରେ ‘ଜଏରାଟ୍ ତନ୍ତବାୟ ସମିତି’ ହସ୍ତଶିଳ୍ପୀର ବୁଣାକାରଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି । ସ୍ଥାନୀୟ ବୁଣାକାରଙ୍କ ଅରଖ ଚଲାଇ ସ୍ୱଦେଶୀ ଖଦୀ ବସ୍ତ୍ରର ପ୍ରଚାରପ୍ରସାର ପାଇଁ ପରାମର୍ଶ ଦେଇଛନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଖୁସିବ୍ୟକ୍ତ କରିବା ସହ ଭୋକାଲ୍ ଫର୍ ଲୋକାଲର ଆହ୍ୱାନ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମଗ୍ର ଭାରତବର୍ଷକୁ ସ୍ୱାବଲମ୍ବୀ ତଥା ଗ୍ରାମ୍ୟ ଅର୍ଥନୀତିକୁ ଗତି ଦେବା ପାଇଁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋକାଲ ଫର୍ ଲୋକାଲ୍ ପାଇଁ ଆହ୍ୱାନ କରିଛନ୍ତି । ଜଏରାଟ ଭଳି ଓଡ଼ିଶାର ପ୍ରତ୍ୟେକଟି ଗାଁରେ କିଛି ନା କିଛି କଳାତ୍ମକ ହସ୍ତଶିଳ୍ପ ରହିଛି ଯାହା ଓଡ଼ିଆ ଜାତିକୁ ଅନନ୍ୟ ପରିଚୟ ଦେଇଛି । ଏହା ହିଁ ଗାନ୍ଧିଜୀ ଅର୍ଥନୈତିକ ଚିନ୍ତନର ବ୍ୟବହାରିକ ରୂପ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ ନୀତିର ଉଦ୍ଧେଶ୍ୟ । ତେଣୁ ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକତାକୁ ଗୁଡିକୁ ସ୍ଥାନୀୟ ଉତ୍ପାଦନ କେନ୍ଦ୍ରରୁ କିଣିବା ଆମର ଅଭ୍ୟାସରେ ପରିଣତ ହେବା ଦରକାର । ଏହା ଦ୍ୱାରା କିଶୋରନଗର ଜଏରାଟ ଭଳି ହାତ ବୁଣା କାମୁଛା, ହାତ ବୁଣା କଉଟି ବିକି ଜୀବିକା ଉପାର୍ଜନ କରୁଥିବା ଲୋକମାନେ ସ୍ୱବଲମ୍ବୀ ହୋଇପାରିବେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗାନ୍ଧିଜୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଏବଂ ପ୍ରାସଙ୍ଗିକ ହୋଇଛି । ପୂଜ୍ୟ ବାପୁଜୀଙ୍କ ଜୀବନ ମୂଲ୍ୟବୋଧ ଆମକୁ ସର୍ବଦା ପ୍ରେରଣା ଦେଉଥିବ । ସେହିପରି ଅନୁଗୋଳ ଜିଲ୍ଲାର ବାମୁର ସହ ମହାତ୍ମା ଗନ୍ଧୀଙ୍କର ନିବିଡ଼ ସମ୍ପର୍କ ରହିଛି । ବାପୁଜୀ ବାମୁରରେ ପର୍ଦାପଣ କରି ଏ ମାଟିକୁ ମହନୀୟ କରିଥିଲେ । ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ଓ ନିଶା ନିବାରଣ ପାଇଁ ଯାତ୍ରା କରୁଥିବା ବେଳେ ୧୯୩୪ ମସିହା ମେ ୫ ତାରିଖରେ ଅନୁଗୁଳର ବାମୁରର ଏକ ଡ଼ାକବଙ୍ଗଳାରେ ଅବସ୍ଥାନ କରିଥିଲେ । ମହାତ୍ମା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ, ବାମୁରର ଗାନ୍ଧିଜୀଙ୍କ ପବିତ୍ର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଖୁସିର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *