Monday , September 25 2023
Breaking News
Home / ବିଶେଷ / ଅନୁଗୋଳ ଓ ଢେଙ୍କାନାଳ ସମେତ ୧୦ଟି ସ୍ଥାନରେ ଏସଏସଭିଏମର ନୂତନ ଗୃହର ଲୋକାର୍ପଣ

ଅନୁଗୋଳ ଓ ଢେଙ୍କାନାଳ ସମେତ ୧୦ଟି ସ୍ଥାନରେ ଏସଏସଭିଏମର ନୂତନ ଗୃହର ଲୋକାର୍ପଣ

ଜାତୀୟ ଶିକ୍ଷା ନୀତିରେ ଶିଶୁ ବାଟିକା ଓ ବିଦ୍ୟା ପ୍ରବେଶ ଶିଶୁଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର/ଅନୁଗୁଳ/ଢେଙ୍କାନାଳ, ୦୨/୧୦/୨୦୨୧(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୟନ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବିଦ୍ୟା ଭାରତୀ ଦ୍ୱାରା ପରିଚାଳିତ ଶିଶୁ ବାଟିକା ଓ ବିଦ୍ୟା ପ୍ରବେଶ କାର୍ଯ୍ୟକ୍ରମ ନୂତନ ଶିକ୍ଷା ନୀତିର ମଡ୍ୟୁଲ୍ ପାଇଁ ବହୁ ଉପଯୋଗୀ ହୋଇଛି । ଶନିବାର ଅନୁଗୋଳ ଓ ଢେଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ିକର ବହୁମୁଖୀ ନୂତନ ସମ୍ମିଳନୀ କକ୍ଷ, ଶ୍ରେଣୀଗୃହ ଏବଂ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରୁ ପ୍ରତ୍ୟକ୍ଷ ଭାବରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବହୁମୁଖୀ ନୂତନ ସମ୍ମିଳନୀ କକ୍ଷ ଏବଂ ଆନୁସଙ୍ଗିକ ସୁବିଧାର ଲୋକାର୍ପଣ ସହ ଏହି ସ୍ଥାନରୁ ଭିସି ଜରିଆରେ ୪ ଲେଖାଁଏ ସର୍ବମୋଟ ୧୦ଟି ସ୍ଥାନରେ ସରସ୍ୱତୀ ବିଦ୍ୟାମନ୍ଦିରରେ ଅତ୍ୟାଧୁନିକ ସୁବିଧାକୁ ଉତ୍ସର୍ଗ କରିଛନ୍ତି । ଭିସି ଜରିଆରେ ଅନୁଗୋଳରୁ ୪ଟି ସ୍ଥାନ ତଥା ବୌଦ୍ଧ, କନ୍ଧମାଳ ଜିଲ୍ଲାର ଫୁଲବାଣୀ, କୋରାପୁଟ ଜିଲ୍ଲାର ଜୟପୁର ଓ ସମ୍ବଲପୁର ଜିଲ୍ଲାର ଧନୁପାଲି ଏବଂ ଢ଼େଙ୍କାନାଳ ଜିଲ୍ଲାର ସୁନ୍ଦରିଖାଲରୁ ଗଞ୍ଜାମ ଜିଲ୍ଲାର ବାଲିପଡ଼ା, ଡ଼େଙ୍ଗାଅସ୍ତା, କବିସୂର୍ଯ୍ୟନଗର ଓ କେନ୍ଦୁଝର ଜିଲ୍ଲାର କେନ୍ଦୁଝର ଗଡ଼ ଠାରେ ଏହି ସବୁ ଅନୁରୂପ ସୁବିଧାର ଲୋକର୍ପଣ କରିଛନ୍ତି । ସାମାଜିକ ଓ ସାଂସ୍କୃତିକ-ବୌଦ୍ଧିକ ଯାତ୍ରାରେ ସରସ୍ୱତୀ ଶିଶୁ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆନ ଅଏଲର ସାମାଜିକ ଉତର ଦାୟିତ୍ୱ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଜ୍ଞାନଦେୟ’ର ମୋଟ ୨୪ କୋଟି ଟଙ୍କା ଆର୍ଥôକ ସହଯୋଗରେ ଅନୁଗୁଳ ଓ ଢ଼େଙ୍କନାଳ ଜିଲ୍ଲା ସମେତ ୧୦ଟି ସ୍ଥାନରେ ନିର୍ମାଣ ହୋଇଥିବା ସରସ୍ୱତୀ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଓ ଅନ୍ୟାନ୍ୟ ସୁବିଧା ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସକୁ ଉଜ୍ଜିବୀତ କରିବ । ଏହା ଦ୍ୱାରା ଏହି ୧୦ଟି ସ୍କୁଲରେ ପାଠ ପଢୁଥିବା ୧୨ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଶିକ୍ଷା ସେବା ପାଇଁ ଆରମ୍ଭ ହୋଇଥିବା ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମରେ ଗରିବ ପିଲାଙ୍କୁ ଶିକ୍ଷାଦାନ କରି ଅନୁଗୁଳ ଜିଲ୍ଲାକୁ ଜାତୀୟ ସ୍ତରରେ ନାଁ କରାଇବା, ତିଥି ଭୋଜନରେ ଗରିବ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା, ଡିଜିଟାଲରେ ପିଲାଙ୍କୁ ଯୋଡ଼ିବା ପାଇଁ ସ୍ଥାନୀୟ ଯୁବକମାନେ ଉଦ୍ୟମ କରିବା ତଥା ସେମାନଙ୍କର ସାମଗ୍ରିକ ଶିକ୍ଷା ବିକାଶ ଉପରେ ସମସ୍ତେ ଗମ୍ଭୀର ଭାବରେ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ମହାତ୍ମା ଗାନ୍ଧୀ ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଥୀକୁ ରୋଜଗାରକ୍ଷମ କରିବା ପାଇଁ ‘ନୟୀ ତାମିଲ’ର କଳ୍ପନା କରିଥିଲେ ।
ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳ ବନ ବିଦ୍ୟାଳୟରେ ମୌଳିକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଥମିକତା ଦିଆଯାଉଥିଲା, ଯାହାକୁ ଜାତୀୟ ଶିକ୍ଷା ନୀତି ତଥା ଏନଇପିରେ ଗୁରୁତ୍ୱ ଦିଆଯାଇଛି । ଢ଼େଙ୍କାନାଳକୁ ସମୃଦ୍ଧ ଅଂଚଳ ଏବଂ ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ପାଠପଢ଼ା ସହ ରୋଜଗାର ଆଧାରିତ ଶିକ୍ଷା ଜରୁରୀ ବୋଲି ସେ କହିଛନ୍ତି । ଅନୁଗୋଳ ଜିଲ୍ଲାରେ ଅନେକ ବୈଷୟିକ ଓ ଶିଳ୍ପାନୁଷ୍ଠାନ ରହିଥିବା ବେଳେ ଏନଇପି ଆଧାରରେ ଅନୁଗୋଳକୁ ଏକ ସମ୍ପୂର୍ଣ୍ଣ କୌଶଳବିକାଶ ଯୁକ୍ତ ଜିଲ୍ଲା ଭାବରେ ଗଢ଼ିତୋଳିବା ପାଇଁ ତଥା ୧୫ରୁ ୨୫ ବର୍ଷର ପିଲାଙ୍କୁ କୌଶଳ ତାମିଲ ଦେବା ପାଇଁ ମାଷ୍ଟର ପ୍ଲାନ୍ ଆରମ୍ଭ କରାଯାଇଛି । ଅନୁଗୁଳକୁ ସମୃଦ୍ଧଶାଳୀ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ଉଲ୍ଲେଖନୀୟ, ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅଧୀନରେ ଅନେକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲର ଏଚଆର୍ ନିର୍ଦ୍ଧେଶକ ଶ୍ରୀ ରଞ୍ଜନ କୁମାର ମହାପାତ୍ର, ସ୍ଥାନୀୟ ଜନପ୍ରତିନିଧି ଓ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ ଅଏଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *