Friday , October 29 2021
Home / ବିଶେଷ / ସୀମା ଟପିଗଲା ବର୍ବରତା, ମାଆ- ଝିଅଙ୍କୁ ଆକ୍ରମଣ, ଛୋଟ ଛୁଆକୁ ବି’ ଛାଡିଲେନି, ଭାଙ୍ଗିଦେଲେ ଘର, କିରୋସିନ ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ !

ସୀମା ଟପିଗଲା ବର୍ବରତା, ମାଆ- ଝିଅଙ୍କୁ ଆକ୍ରମଣ, ଛୋଟ ଛୁଆକୁ ବି’ ଛାଡିଲେନି, ଭାଙ୍ଗିଦେଲେ ଘର, କିରୋସିନ ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ !

ମାହାଙ୍ଗା, ୦୧/୧୦/୨୦୨୧(ଓଡ଼ିଶା ସମାଚାର)-(ଓଡିଶା ସମାଚାର/ ଅଭୟ ଜେନା )-ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ହୋଇ ମହିଳାଙ୍କୁ ଆକ୍ରମଣ କଲେ, ଏପରିକି ଏହି ଆକ୍ରମଣରୁ ବାଦ ପଡ଼ିଲାନାହିଁ କଅଁଳ ଶିଶୁଟିଏ । ସକାଳୁ ରାତି ପର୍ୟ୍ୟନ୍ତ ଅପରାଧୀ ମାନେ ଅରାଜକତା ଚଳାଇ ଥିଲେବି କାର୍ୟ୍ୟାନୁଷ୍ଠାନ ଶୂନ । ଫାଣ୍ଡିରୁ ଥାନା ପର୍ୟ୍ୟନ୍ତ ଅଭିଯୋଗ ନେଇ ପହଂଚିଥିଲେ ପୀଡିତା ପରିବାର । ଆଶ୍ଚର୍ୟ୍ୟର କଥା ଆଇନୀକୁ ସାମାନ୍ୟ ଡର ନଥିଲା ଗଣ୍ଡଗୋଳକାରୀ ମାନଙ୍କର । ଭଦ୍ରେଶ୍ୱର ଫାଣ୍ଡି ଗୋପାଳପୁର ଅଂଚଳରେ ଆଜି ଘଟିଛି ଏଭଳି ଅଭାବନୀୟ କାଣ୍ଡ । ସେହି ଗାଁ’ର ଆୟୁବ ଖାଁ’ ନିଜ ପତ୍ନୀ ସଫିନା ବିବିକୁ ଘରୁ ବାହାରକରି ଅନ୍ୟତ୍ର ବିବାହ କରିଥିଲା । ସଫିନା ବିବି ଝିଅ ଆୟେଶା ଓ ନାବାଳକ ପୁଅକୁ ଧରି ଗାଁ ମୁଣ୍ଡରେ ପୃଥକ ଭାବେ ଘରକରି ସେଠାରେ ପିଲାମାନଙ୍କୁ ନେଇ ଚଳୁଥିଲା । ଆଜି ସକାଳେ ସଫିନା ଓ ତା’ର ଝିଅ ଓ ଝିଅର ୮ ମାସର ଶିଶୁ ପୁତ୍ର ସହ ଟିକା ନେବାକୁ ମେଡିକାଲ ଯାଇଥିବାର ସୁଯୋଗନେଇ, ଆୟୁବ ଖାଁ ଓ ତା’ର ସହଯୋଗୀ ମାନେ ସଫିନା ରହୁଥିବା ଘରକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ମାଆ ଓ ଝିଅ ସ୍ଥାନୀୟ ଭଦ୍ରେଶ୍ୱର ଫାଣ୍ଡିରେ ଅଭିଯୋଗ କରିବାରୁ ଫାଣ୍ଡି ଅଧିକାରୀ ତପନ ନାୟକ ଘଟଣାସ୍ଥଳୀରେ ପହଂଚିଥିଲେ । ପୋଲିସ ଉପସ୍ଥିତିରେ ସଫିନାର ପରିବାରକୁ ମାଡ ଗାଳି ଦିଆଯାଇଥିବାରୁ, ସେ ନ୍ୟାୟ ପାଇଁ ମାହାଙ୍ଗା ଥାନାରେ ପହଂଚି ଏତଲା ଦେବା ଜଣାପଡିଛି । ଏହି ମାଆ ଓ ଝିଅ ଥାନାରେ ଅଭିଯୋଗ ପାଇଁ ପହଂଚିବା ଖବର ପାଇ ହୃଷିକେଶ ନାୟକ, ତାଙ୍କ ପରିବାର ଓ ଆୟୁବ ଖାଁ ଓ ତାଙ୍କର ପରିବାର ପକ୍ଷରୁ ପୁନର୍ବାର ସଫିନା ନିଜ ପିଲାମାନଙ୍କୁ ଧରି ରହୁଥିବା ଘରକୁ ଭାଙ୍ଗିଥିଲେ ଓ ଘର ଭିତରେ ଥିବା ସମସ୍ତ ଅସବାପତ୍ର ପଦାକୁ ଫିଙ୍ଗି ଦେଇଥିଲେ । କେବଳ ସଫିନା କିମ୍ବା ତା’ର ଝିଅ ଆୟେସାକୁ ମାଡ ହୋଇଛି ସେକଥା ନୁହେଁ, ଆୟେସାର ଛୋଟ ପିଲାକୁ ମଧ୍ୟ ନିଶାସକ୍ତ ଅୟୁବ ଖାଁ ଘର ଭିତରୁ ପଦାକୁ ଟେକିଆଣି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏପରିକି ଘଟଣା ଦିନ ସନ୍ଧ୍ୟାରେ ଅୟୁବ ଖାଁ ହାତରେ ଏକ ଧାରୁଆ ଅସ୍ତ୍ର ଧରି ସଫିନା ଓ ତାର ଝିଅ ଏବଂ ନାତିକୁ ଜୀବନରୁ ମାରିଦେବାକୁ ଧମକ ଦେବାର ଏକ ଭିଡିଓ ଭାଇରଲ ହେଉଛି । ଅୟୁବ ଖାଁ ଶୁକ୍ରବାର ରାତିରେ ଆୟେସା ଉପରେ କିରୋସିନ ଢାଳି ଜୀବନ୍ତ ଜାଳି ଦେବାକୁ ଉଦ୍ୟମ କରିବାସହ ଫାର୍ସା ଧରି ହାଣିଦେବାକୁ ମସୁଧା କରିବା ଖବର ମିଳିଛି । ପୀଡିତା ପରିବାର ନ୍ୟାୟ ପାଇଁ ଥାନାରେ ବସିରହିବା ଦେଖିବାକୁ ମିଳିଛି ।
ଏଠାରେ ସୂଚନା ଯୋଗ୍ୟଯେ ଅୟୁବ ଖାଁ ସ୍ଥାନୀୟ ଅଂଚଳର ଗୋବର୍ଦ୍ଧନ ନାୟକଙ୍କ ଠାରୁ ଯେଉଁ ଜମି କିଣିଥିଲା, ସେହି ଜମି ଉପରେ ଅୟୁବର ଝିଅ ଓ ପୁଅ ପକ୍କାଘର ତୋଳି ରହିଥିଲେ । କିନ୍ତୁ ଗୋବର୍ଦ୍ଧନଙ୍କ ପୁଅ ହୃଷିକେଶ ଅୟୁବକୁ ହାତକରି ଏହି ଜମିକୁ ନିଜ ନାମରେ କରାଇନେବାରୁ ଏଭଳି ବିବାଦୀୟ ପରିସ୍ଥିତି ଉପୁଜିବା ଚର୍ଚ୍ଚା ହେଉଛି । ସଫିନା ବିବି ଓ ତାର ନାବାଳକ ପୁଅ ଝିଅ ଉପରେ ଅୟୁବ ରାଗ ସୁଝାଇବାକୁ ହୃଷିକେଶ ନାୟକ ପ୍ରରୋଚନାରେ ବିଭିନ୍ନ ଅପରାଧିକ କାଣ୍ଡ ଭିଆଇବା କୁହାଯାଉଛି ।
ଏହି ଅରାଜକତା ଉପରେ ପୋଲିସ ପୀଡିତ ପରିବାରକୁ କେବେ ନ୍ୟାୟ ଦେଉଛି ଓ ଦୋଷୀଙ୍କ ବିରୁଦ୍ଧରେ ଆଇନିଗତ କାର୍ୟ୍ୟାନୁଷ୍ଠାନ ହେଉଛି ସେକଥା ଦେଖିବାକୁ ବାକି ରହିଲା । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *