Sunday , October 1 2023
Home / ବିଶେଷ / ଶାରଦୀୟ ଦୁର୍ଗାପୂଜା ଓ ପ୍ରସିଦ୍ଧ ବଳଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଶାରଦୀୟ ଦୁର୍ଗାପୂଜା ଓ ପ୍ରସିଦ୍ଧ ବଳଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ନିରାଡମ୍ବର ଭାବେ ଦୁର୍ଗାପୂଜା ଓ ଭସାଣି ହେବ , ବଳଦ ଯାତ୍ରା ,ରାବଣ ପୋଡି ବନ୍ଦ୍  – ବିଧିରକ୍ଷା ପାଇଁ ଦୁଇଟି ବଳଦ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା ହେବେ

ଭୁବନ ୦୧/୧୦/୨୦୨୧(ଓଡ଼ିଶା ସମାଚାର)- ଐତିହାସିକ ,ପାରମ୍ପରିକ ତଥା ଶହେ ବର୍ଷର ପ୍ରସିଦ୍ଧ ଦଶହରା ବଳଦଯାତ୍ରା ଚଳିତ ବର୍ଷ କରୋନା ସକାଶେ ହେବନାହିଁ । କେବଳ  ଦୁର୍ଗାପୂଜା ହେବ ବୋଲି ଚୂଡାନ୍ତ ନିଷ୍ପତି ନିଆଯାଇଛି । ଆଜି ଅପରାହ୍ନରେ ଏନଏସି ସଭାଗୃହ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ତଥା ଭୁବନ ଏନଏସି ନଗରପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ସଭାପତିତ୍ୱ ଓ ତହସିଲଦାର ପ୍ରଭାସ କୁମାର ବେହୁରାଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ନରହରି ସାହୁ,ଦିଲ୍ଲୀପ କୁମାର ଦାସ,ସମୀର ସାହୁ,ପବିତ୍ର ସାହୁ,ଅଜୟ କୁମାର ସେଠୀ,ଶ୍ରୀଧର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ଚଳିତ ବର୍ଷ ବଳଦଯାତ୍ରା,ରାବଣ ପୋଡି ବନ୍ଦକୁ ସମର୍ଥନ କରିଥିଲେ । ତେବେ ବିଭିନ୍ନ ମଣ୍ଡପରେ ଗାଇଡଲାଇନ ଅନୁସାରେ ଦୁର୍ଗାପୂଜା ପାଇଁ ପ୍ରଶାସନିକ ଅନୁମତି ଦିଆଯାଇଥିଲା । ଶହେ ବର୍ଷର ପରମ୍ପରା ପ୍ରସିଦ୍ଧ ବଳଦଯାତ୍ରା ସଂପୂର୍ଣ୍ଣ ବନ୍ଦ କରାନଯାଇ ବିଜୟା ଦଶମୀ ଅନୁକୂଳ ଯାତ୍ରା ଦିନ କେବଳ ବିଧିରକ୍ଷା ଓ ପ୍ରଥା ପାଳନ ପାଇଁ ବଳଦଯାତ୍ରାର ସ୍ରଷ୍ଟା ଥୋରିଆ ସମାଜ ଓ ତାଙ୍କ ସହଯୋଗୀ ସାଥୁଆ ସାହି ର ଗୋଟିଏ ଲେଖାଏଁ ବଳଦ କୁ ସୁସଜ୍ଜିତ କରାଯାଇ ସ୍ୱଳ୍ପ ସଂଖ୍ୟକ ସଦସ୍ୟ ଙ୍କ ଗହଣରେ ଘଂଟ ବଜାଯାଇ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନାହୋଇ ଫେରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଅନ୍ୟ ବଳଦ ଗୁଡିକୁ କେବଳ ବିଧି ଓ ପରମ୍ପରା ରକ୍ଷା ପାଇଁ ଦଶହରା ଖୁଂଟରେ ବାନ୍ଧି ପୂଜାର୍ଚ୍ଚନା କରାଯିବ । ଦଶହରା ପୂର୍ବରୁ ଭୁବନର ମୁଖ୍ୟରାସ୍ତା,ଡ୍ରେନ,କଲଭର୍ଟ ମରାମତି କରାଯିବା ସହିତ ପ୍ରତ୍ୟେକ ଇଲେକ୍ଟ୍ରି ଖୁଂଟରେ ଆଲୋକ ଲଗାଇବା,ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା,ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ସଜାଡିବା ଓ ନୀଳମାଧବ ପେଟ୍ରୋଲ ପମ୍ପ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ଜାତୀୟ ରାଜପଥ ମରାମତି/ନିର୍ମାଣ ପାଇଁ ଦାବି କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର,ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି,ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ସମେତ ବିଭିନ୍ନ ବଜାର କମିଟି,ପୂଜା କମିଟି ସଦସ୍ୟ ଯୋଗଦେଇଥିଲେ । ଶେଷରେ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *