ମାହାଙ୍ଗା, ୩୦/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ଚୋର ଘରେ ସବୁଦିନେ ଆଲୁଅ ଜଳେନି । ଏମିତି ଏକ ଅଂଧାର ରାତିରେ ଏକ ହିରୋ ହୋଣ୍ଡା ବାଇକ ଧରି ଚୋରି କରିବାକୁ ଆସିଥିବା ୩ ଜଣ ଅଚାନକ ପୋଲିସ ହାବୁଡ଼ରେ ପଡିବା ପରେ ୨ ଲୁଟେରା ପୋଲିସକୁ ଚକମା ଦେଖାଇ ସାଥୀ ଚୋରକୁ ଛାଡି ଅଂଧାର ରାତିରେ ପାଣିରେ ପଶି ଛୁ’ ମାରିବା ଚର୍ଚ୍ଚାର ବିଷୟ ହୋଇଛି । ଏମାନେ ମାହାଙ୍ଗା ଥାନା ଅଂଚଳର ପ୍ରସିଦ୍ଧ ବିଦେହୀ ବାବାଙ୍କ ମନ୍ଦିର ଓ ନିକଟସ୍ଥ ହନୁମାନ ମନ୍ଦିରରୁ ଚୋରି କରିବାକୁ ଆସିଥିଲେ । ତେବେ ମନ୍ଦିର ହୁଣ୍ଡିଭାଙ୍ଗି ଭକ୍ତଙ୍କ ଦାନଅର୍ଥକୁ ଲୁଟିନେଇ ଫେରାର ହୋଇଯିବାକୁ ଉଦ୍ୟମ ଚଳେଇଥିବା ସମୟରେ ରାତ୍ର କାଳୀନ ପେଟ୍ରୋଲିଙ୍ଗରେ ବାହାରିଥିବା ମାହାଙ୍ଗା ଥାନା ଏଏସଆଇ ନରେନ୍ଦ୍ର ଖୁଣ୍ଟିଆ ଏବଂ ତାଙ୍କ ସହଯୋଗୀଙ୍କ ହାବୁଡ଼ରେ ପଡିଯାଇଥିଲେ । ପୋଲିସ ସହ ଧସ୍ତାଧସ୍ତି ହେବାବେଳେ ଜଣକୁ କାବୁ କରାଯାଇଥିଲା ଓ ଅନ୍ୟ ୨ ଜଣ ଲୁଟେରା ଚତୁରତାର ସହିତ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ତେବେ ପୋଲିସ ହାତରେ ଧରାପଡିଥିବା ଲୁଟେରା ସିନ୍ଧୁପୁର ଗାଁ ର ମଦନ ସେଠୀଙ୍କ ପୁଅ ଈଶ୍ୱର ସେଠୀ ବୋଲି ଜଣାପଡିଛି । ସେହି ରାତିରେ ଘଟଣାସ୍ଥଳରୁ ଚୋରମାନେ ବ୍ୟବହାର କରୁଥିବା ଏକ ବାଇକ,ସେମାନଙ୍କ ମୋବାଇଲ ଏବଂ ଟଙ୍କା ସହ ହୁଣ୍ଡି ବାକ୍ସ ଜବତ ହୋଇଛି । ଚୋରି ମାମଲାରେ ଗିରଫ ଅସାମୀ ଈଶ୍ୱର ସେଠୀକୁ ୨୧୬/୨୧ ନମ୍ବର କେଶ ବଳରେ କୋର୍ଟ ଚାଲାଣ କରାଯାଇଛି ଓ ଫେରାର ହୋଇଯାଇଥିବା ତା’ର ଅନ୍ୟ ୨ ସହଯୋଗୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର